ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୦ .୦୩): ଦେଶରେ ଲଗାତର ବଢିବାରେ ଲାଗିଛି H3N2 ଇନଫ୍ଲ୍ୟୁଏଞ୍ଜା । ସବୁଠାରୁ ଅଧିକ ଚିନ୍ତାର ବିଷୟ ଏହା ଯେ ଏହି ଭୂତାଣୁରେ ଗଲାଣି ୨ ଜୀବନ । ପ୍ରଥମ ବ୍ୟକ୍ତିଙ୍କର ମୃତ୍ୟୁ ହରିଆଣାରେ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ କର୍ଣ୍ଣାଟକରେ ହୋଇଛି । ସ୍ବାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ସାରା ଦେଶରେ ବର୍ତ୍ତମାନ H3N2 ଇନଫ୍ଲ୍ୟୁଏଞ୍ଜାର ୯୦ଟି ମାମଲା ସାମ୍ନାକୁ ଆସିଛି । ସେହିପରି H1N1ର ୮ଟି ମାମଲା ସାମ୍ନାକୁ ଆସିଛି ।
ସାରା ଦେଶରେ ଇନଫ୍ଲ୍ୟୁଏଞ୍ଜାର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଅଧିକ ମାମଲା ଏଚ୩ଏନ୨ର ଥିବା ଦେଖିବାକୁ ମିଳିଛି । ଏହି ଭୂତାଣୁ ହଂକଂ ଫ୍ଲୁ ଭାବେ ମଧ୍ୟ ବେଶ ପରିଚିତ । ସାଧାରଣ ଭାବେ ଇନଫ୍ଲ୍ୟୁଏଞ୍ଜାରେ କାଶ, ଥଣ୍ଡା, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଏହାଛଡା ଡାଇରିଆର ମଧ୍ୟ ଶିକାର ହୋଇଥାଏ ରୋଗୀ ।
ଏନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଛି । H3N2 ଏବଂ କୋଭିଡକୁ ନଜରରେ ରଖି କର୍ଣ୍ଣାଟକ ସରକାର ସପ୍ତାହର ପ୍ରଥମରେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମାସ୍କ ପିନ୍ଧି ବାକୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ, ଶିଶୁ, ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତି ଏବଂ ଗର୍ଭବତୀ ମହିଳା ଏଥିରୁ ସତର୍କ ରହିବାକୁ କୁହାଯାଇଛି ।