ଭୁବନେଶ୍ୱର : ରାଜ୍ୟର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳ ପିଇବା ପାଣି ଜଳ ଯୋଗାଣ କ୍ଷେତ୍ରରେ ଶତ ପ୍ର୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ, ପିଇବା ପାଣି ଯୋଗାଣରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ବର୍ଷ ଶୀଘ୍ର ଖରାଦିନ ଆସିଯାଇଛି । ପୂର୍ବାପେକ୍ଷା ଏଥର ଆମକୁ ଅଧିକ ପ୍ରସ୍ତୁତି କରିବାକୁ ପଡ଼ିବ । ନିୟମିତ ପିଇବା ପାଣି ସମସ୍ୟା ଥିବା ହଟ୍ସ୍ପଟ୍ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଅଭିଯୋଗ ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହ ବୈଷୟିକ ଜ୍ଞାନ ସମ୍ପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ବରିଷ୍ଠ ଅଧିକାରୀମାନେ ପିଇବା ଯୋଗାଣ ବ୍ୟବସ୍ଥାର ତଦାରଖ କରିବେ। ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳମାନେ ନିୟମିତ ପିଇବା ପାଣି ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରିବେ। ଏ ଦିଗରେ ଉପୁଜିଥିବା ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପିଇବା ପାଣିର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି । ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ୍ ପିଇବା ପାଣି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୨୦୨୪ ସୁଦ୍ଧା ଗାଁର ସବୁ ପରିବାରକୁ ଶତ ପ୍ରତିଶତ ପିଇବା ପାଣି ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଗତ ୩ ବର୍ଷରେ ସହରାଞ୍ଚଳରେ ୩୮୦୦ କୋଟି ବିନିଯୋଗ ହୋଇଛି ପିଇବା ପାଣି ଯୋଗାଣ ପାଇଁ । ୨୦୨୨ ସୁଦ୍ଧା ସହରାଞ୍ଚଳର ପ୍ରତି ପରିବାକୁ ପାଇପ୍ ଜଳ ସଂଯୋଗ କରାଯିବ । ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ବିଶେଷ କରି ଖରାଦିନରେ ଏହାର ଗୁରୁତ୍ୱ ବହୁତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ କୁହାଯାଇଛି, ୨୦୧୬ରେ ୩ ଲକ୍ଷ ଘରକୁ ପାଇପ ପାଣି ସଂଯୋଗ ହୋଇଥିବାବେଳେ ଏବେ ୮ ଲକ୍ଷ ୩୦ ହଜାର ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଛି । ତେଣୁ ପାନୀୟ ଜଳ ଯୋଗାଣର କ୍ଷମତା ବେଶ୍ ଭଲ ରହିଛି । ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ଘରକୁ ପିଇବା ପାଣି ସଂଯୋଗ କ୍ଷେତ୍ରରେ ୧୬୮% ଉନ୍ନତି ଆସିଛି । ରାଜ୍ୟର ୬୫ଟି ପୌରାଞ୍ଚଳର ୩୩୫ଟି ସ୍ଥାନରେ ପିଇବା ପାଣି ସମସ୍ୟା ଅଛି । ସେଠାରେ ୧୧୭ଟି ଟ୍ୟାଙ୍କର ଓ ୧୩୮୦ଟି ପିଭିସି ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯାଉଛି । ସମସ୍ତ ଅଭିଯୋଗର ସମାଧାନ ୨୪ ଘଣ୍ଟାରେ କରାଯାଉଛି । ଏହାଛଡ଼ା ପିଇବା ପାଣିର ସମସ୍ୟା ଥିବା ୧୧ଟି ପୌରାଞ୍ଚଳ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ସମସ୍ତ ପୌରାଞ୍ଚଳରେ ମୋ’ ସରକାର ସେଲ୍ ଜରିଆରେ ଅଭିଯୋଗର ଶୁଣାଣି କରାଯାଉଛି ।