ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୮.୦୨): ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗତ ୨୨ ବର୍ଷରେ ୪୪ ଲକ୍ଷ ୯୯ ହଜାର ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି ବୋଲି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଆହୁରି କହିଛନ୍ତି, କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ ପରେ ମଧ୍ୟ ୨୦୧୯ ମାର୍ଚ୍ଚ ୭ ତାରିଖ ପୂର୍ବରୁ ଚିହ୍ନଟ ୧ ଲକ୍ଷ ୩୦ ହଜାର, ୮୭୩ ପରିବାର ଆବାସ ପ୍ଲସ ତାଲିକାରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୦୨୨ରେ ପକ୍କା ଘର ପାଇବା ପାଇଁ ଯୋଗ୍ୟ ପିଭିଟିଜି ପରିବାର ଓ ସ୍ବାଭିମାନ ଅଞ୍ଚଳରେ ବସବାସ କରୁଥିବା ଯୋଗ୍ୟ ଲୋକଙ୍କ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ୨୬,୭୭୫ଟି ପିଭିଟିଜି ପରିବାର ଓ ସ୍ବାଭିମାନ ଅଞ୍ଚଳର ୧୮,୧୬୦ଟି ପରିବାର ଯୋଗ୍ୟ ବିବେଚିତ ହୋଇଛନ୍ତି।। ଏହି ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ଲାଗି ଗତ ଜାନୁଆରି ୧୮ ତାରିଖରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏହାର ଅନୁମୋଦନ ପରେ କଚ୍ଚା ଘରେ ରହୁଥିବା ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ପର୍ଯ୍ୟାୟକ୍ରମେ ଯୋଗ୍ୟ ପରିବାରଙ୍କୁ ଗୃହ ଯୋଗାଇ ଦିଆଯିବ। ଆଜି ବିଧାନସଭାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ ବାସଗୃହ ଯୋଗାଣ ଲାଗି ବିଭିନ୍ନ ସରକାରୀ ଯୋଜନାରେ ଗତ ୨୨ ବର୍ଷରେ କେତେ ପରିବାରଙ୍କୁ ପକ୍କାଘର ଦିଆଯାଇଛି ଓ ନିକଟରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପରେ ଅବଶିଷ୍ଟ କେତେ ପରିବାର କଚ୍ଚା ଘରେ ରହୁଥିବେ ? କେବେ ସୁଦ୍ଧା ରାଜ୍ୟର ସବୁ ପରିବାରକୁ ପକ୍କା ଘର ଉପଲବ୍ଧ କରାଯିବ?