ନୂଆଦିଲ୍ଲୀ : ନବବିବାହିତ ଦମ୍ପତିଙ୍କ ଉପରକୁ ଆଖି ପିଛୁଳାକେ ଗୁଳିମାଡ଼। ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ରାତିରେ ନୂଆଦିଲ୍ଲୀରେ ଏହି ଘଟଣା ଘଟିଛି। ଗୁରୁତର ଯୁବତୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣା ପଛରେ ଅନର୍ କିଲିଂ ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ କିଛି ସମୟ ପାଇଁ ଏଭଳି ଭାବରେ ପରିବେଶକୁ ଆତଙ୍କିତ କରି ରଖିଥିଲେ, ଭୟରେ ପଡ଼ୋଶୀମାନେ ଘର ବାହାରକୁ ବାହାରି ନଥିଲେ।
ଦିଲ୍ଲୀର ପୋଶ୍ ଅଞ୍ଚଳରେ ରହୁଥିବା ଜ୍ୟୋତିଙ୍କ କହିବା ଅନୁସାରେ, ଜୁନ୍ ୨୦ରେ ବିନୟ ଦହିୟା ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ରହିବା ପାଇଁ ନିଜ ଫ୍ଲାଟ୍କୁ ଭଡ଼ାରେ ଦେଇଥିଲେ। ଗୁରୁବାର ରାତିରେ ସେ ଘରେ ଡିନର୍ କରୁଥିଲେ। ହଠାତ୍ ତାଙ୍କୁ ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା। ବିନୟଙ୍କ ରୁମ୍ରୁ ଏହି ଶବ୍ଦ ଶୁଣିବାକୁ ମିଳିଥିଲା। ଘର ବାହାରକୁ ଆସିବା ପରେ ଦେଖିବାକୁ ମିଳିଲା, କିଛି ଲୋକ ବିନୟଙ୍କୁ ଗୋଡ଼ାଉଛନ୍ତି ଓ ଜୀବନ ବଞ୍ଚାଇବା ପାଇଁ ବିନୟ ଘରୁ ଦୌଡ଼ି ଦୌଡ଼ି ରାସ୍ତା ଉପରକୁ ଚାଲି ଆସିଥିଲେ। ତଥାପି ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ବିଚ୍ ରାସ୍ତାରେ ଗୋଟିଏ ପରେ ଗୋଟିଏ ଗୁଳି ତାଙ୍କ ଉପରକୁ ଚଳାଇଥିଲେ। ଏହି ଘଟଣାରେ ବିନୟଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି।’
ବିଜୟଙ୍କ ଫ୍ଲାଟ୍ର ସାମ୍ନାରେ ରହୁଥିବା ଜଣେ ପଡ଼ୋଶୀଙ୍କ କହିବା ଅନୁସାରେ, ଗୁଳିମାଡ଼ର ଶବ୍ଦ ଶୁଣି ଭୟରେ ଘରର କବାଟ, ଝରକା ବନ୍ଦ କରି ଦେଇଥିଲୁ। ଗୁରୁବାର ରାତି ୮ଟା ୫୦ରେ ଘଟଣା ଘଟିଥିଲା। ଏତି ଡରି ଯାଇଥିଲୁ ଯେ, ନିଜକୁ ଘରେ ବନ୍ଦ କରି ରଖିଥିଲୁ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବିନୟଙ୍କ ପତ୍ନୀ କିରଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରେ କରି ହସ୍ପିଟାଲ୍ ଭର୍ତ୍ତି କରିଛି।
ବିନୟଙ୍କ ପେଟ ଓ ଛାତିରେ ୪ଟି ଗୁଳି ବାଜିଥିବା ପୋଲିସ୍ ସୂଚନା ଦେଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ବିନୟଙ୍କ ପତ୍ନୀଙ୍କୁ ଭେଙ୍କେଟେଶ୍ୱର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।