ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ରୁଜୁ ତିନିଟି ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ । ସେ ୧୪ ଲକ୍ଷ ଟଙ୍କା ଜମା କରି ଜାମିନ୍ରେ ଯିବେ ବୋଲି ହାଇକୋର୍ଟ ସର୍ତ୍ତ ଧାର୍ୟ୍ୟ କରିଛନ୍ତି । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଜାମିନ ସର୍ତ୍ତ ପୂରଣ କଲେ ନିମ୍ନ ଅଦାଲତ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନରେ ଛାଡ଼ିବ ବୋଲି ହାଇକୋର୍ଟ କହିଛନ୍ତି । ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଦାୟର ମାମଲାରେ ଜାମିନ ମିଳିଥିଲା । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଜଣେ ପ୍ରାର୍ଥୀଙ୍କଠାରୁ ୬ ଲକ୍ଷ ନେଇଥିଲାବେଳେ ଆଉ ଦୁଇ ଜଣ ଆଶାୟୀଙ୍କଠାରୁ ଯଥାକ୍ରମେ ୫ ଲକ୍ଷ ଓ ୩ ଲକ୍ଷ ଟଙ୍କା ନେଇଥିଲେ । ଏ ନେଇ ଗୋଳନ୍ଥରା ଥାନାରେ ପୃଥକ ପୃଥକ ତିନିଟି ମାମଲା ରୁଜୁ ହୋଇଥିଲା ।