ସୁକିନ୍ଦାରେ ଗୋଟିଏ ରାତିରେ ପାଞ୍ଚଟି ଦୋକାନରୁ ଲୁଟ୍ ଘଟଣା ବ୍ୟବସାୟୀଙ୍କ ଚିନ୍ତାର କାରଣ ହୋଇଛି। ରବିବାର ଦିନ ସୁକିନ୍ଦା ଥାନାଅଧିକାରୀ ଭାବେ ବିଲ୍ଵମଙ୍ଗଳ ସେଠୀ ଦାୟୀତ୍ବ ଗ୍ରହଣ କରିଛନ୍ତି। ଏହାର କିଛି ଘଣ୍ଟା ମଧ୍ୟରେ ଅର୍ଥାତ୍ ରବିବାର ରାତିରେ ସୁକିନ୍ଦା ଛକରେ ଥିବା ପାଞ୍ଚଟି ଦୋକାନରୁ ଲୁଟେରା ମାନେ ଲୁଟ୍ କରି ନିଜର ପାରିବାପଣିଆ ଦେଖାଇଛନ୍ତି। ସୁକିନ୍ଦା ଜଗନ୍ନାଥ ହାଇସ୍କୁଲ ଗେଟ୍ ସମ୍ମୁଖରେ ଥିବା ପ୍ରଭାତ ବେହେରା, ଅଭିଷେକ ମହାନ୍ତି ଓ ମେଡ଼ିକାଲ ଗେଟ ପାଖରେ ଥିବା ଅମିୟ ବାରିକ, ସୁନିଲ ବାରିକ ଓ ସିରାଜ୍ ଖାଁଙ୍କ ଦୋକାନରୁ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗତ କିଛିମାସ ଧରି ସୁକିନ୍ଦା ଅଞ୍ଚଳରେ ଚୋରୀ, ଲୁଟ୍ ଭଳି ବିଭିନ୍ନ ଘଟଣା ଘଟିଥିଲେ ମଧ୍ୟ କୌଣସି ଘଟଣାରେ ପୋଲିସକୁ ସଫଳତା ମିଳିନଥିବା ଜଣାପଡିଛି। ଏହି ଘଟଣାକୁ ନେଇ ସାଧାରଣ ଜନତା ପୋଲିସ ଉପରେ ଆସ୍ଥା ପ୍ରକଟ କରୁନଥିବା ଅଭିଯୋଗ ହୋଇଛି। ଗତ କିଛିଦିନ ତଳେ ସଂସାଇଲୋ ଅଞ୍ଚଳରେ କିଛି ଅସାମାଜିକ ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସେହି ଘଟଣାରେ ପୋଲିସ କାହାରିକୁ ଗିରଫ କରିପାରିନାହିଁ।ବିଶେଷକରି ସୁକିନ୍ଦା ଅଞ୍ଚଳରେ ଧଳା ଜହର କାରବାର ଏବେ ସାଧାରଣ ଲୋକଙ୍କ ଚିନ୍ତାର କାରଣ ହୋଇଛି। ଅଧିକାଂଶ ନୂତନ ଯୁବପିଢି ଏବେ ନିଶା କବଳିତ। ଏହି ନିଶା କବଳିତ ଯୁବକ ଯେକୌଣସି କାର୍ୟ୍ୟ କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳୁଛି। ସୁକିନ୍ଦା ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ସହ ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ସାଧାରଣରେ ଦାବୀ ହେଉଛି।