ଭୁବନେଶ୍ୱର : ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଆଜି ଶେଷ ହୋଇଛି । ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ।
ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମାତ୍ର ୪ଟି ସରକାରୀ କାର୍ଯ୍ୟଦିବସ ରହିଥିଲା । ଅଧିବେଶନରେ ମୋଟ୍ ୭୭୦ ଟି ତାରକା ଚିହ୍ନିତ ପ୍ରଶ୍ନ ଆସିଥିବାବେଳେ ବିଭାଗୀୟ ମନ୍ତ୍ରୀମାନେ ମାତ୍ର ୮ଟି ପ୍ରଶ୍ନର ଉତ୍ତର ରଖିଥିଲେ । ଅଧିକାଂଶ ସମୟରେ ମନ୍ତ୍ରୀମାନେ ବିରୋଧିଙ୍କ ହଟଗୋଳ ମଧ୍ୟରେ ସ୍ୱଳ୍ପ ସମୟ ପାଇଁ ଉତ୍ତର ରଖୁଥିବା ଲକ୍ଷ୍ୟ କରାଯାଇଥିଲା ।
ସେହିଭଳି ୧୪୦୩ଟି ଅଣତାରିକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପିତ ହୋଇଥିଲା । ୩୮ଟି କାଗଜ, ୭୮ଟି ବାର୍ଷିକ ରିପୋର୍ଟ, ୫ଟି କମିଟି ରିପୋର୍ଟ ସମେତ ୧୩ଟି ସରକାରୀ ବିଧେୟକ ପାରିତ ହୋଇଥିଲା । ୩ଟି ସିଏଜି ରିପୋର୍ଟ ମଧ୍ୟ ଅଧିବେଶନର ଶେଷ ଦିନରେ ଗୃହରେ ଉପସ୍ଥାପିତ ହୋଇଥିଲା ।
ଅଧିବେଶନର ଅଧିକାଂଶ ଦିନରେ ବିରୋଧି ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ହଟଗୋଳ କରୁଥିବାବେଳେ ଶାସକ ବିଜେଡି ମଧ୍ୟ ବିପର୍ଯ୍ୟସ୍ତ ଜାତୀୟ ରାଜପଥ ଓ ଧାନର ଦରବୃଦ୍ଧି ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରୁଥିବା ଲକ୍ଷ୍ୟ କରାଯାଇଥିଲା ।
ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ଗୃହରେ ଶ୍ରଦ୍ଧା ନାମ୍ନି ମହିଳାଙ୍କ ନାମ ଉଚ୍ଚାରଣ କରି ସେ କିଏ ଏବଂ କାହା ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରୋମ୍ ଗସ୍ତ କରିଥିଲେ ଏବଂ ତାଙ୍କ କିଭଳି ସରକାରୀ କ୍ୱାଟର୍ସ ମିଳିଛି ବୋଲି ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖି ସମ୍ପୃକ୍ତ ମହିଳା ଜଣଙ୍କ ଜଣେ ଫିଜିଓଥେରାପିଷ୍ଟ ଓ ତାଙ୍କର ଭଉଣୀ ସ୍ୱର୍ଗତା ଗୀତା ମେହେଟ୍ଟା ତାଙ୍କୁ ଆଣିଥିଲେ । ତାଙ୍କର ଗସ୍ତ ପାଇଁ ରାଜକୋଷରୁ କୌଣସି ଅର୍ଥ ବ୍ୟୟ ହୋଇନଥିବା ଏବଂ ସମ୍ପୃକ୍ତ ମହିଳାଙ୍କୁ କୌଣସି ସରକାରୀ କ୍ୱାଟର୍ସ ମିଳିନଥିବା ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେଇଥିଲେ ।
ସେହିଭଳି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ୫ଟି ସଚିବଙ୍କ ହେଲିକାପ୍ଟର ଗସ୍ତ ନେଇ ସରକାରଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଏହା ଉପରେ ବିବୃତ୍ତି ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ଅଭିଯୋଗ ଶୁଣିବାପାଇଁ ସିଏମଓ ସେମାନଙ୍କ ପାଖକୁ ଯାଉଛି । ହେଲିକାପ୍ଟରରେ ଯାଇନଥିଲେ ସମସ୍ତଙ୍କ ନିକଟରେ ପହଞ୍ଚିବାକୁ ଅତି କମ୍ରେ ଦେଢବର୍ଷ ଲାଗିଥାନ୍ତା ।
ତେବେ ରାଜ୍ୟର ଦୁଇ ଜଣ ମନ୍ତ୍ରୀଙ୍କ ନାମରେ ହେଲିକାପ୍ଟର ବୁକିଂ କରି ୫ଟି ସଚିବ କିଭଳି ଗସ୍ତ କଲେ ତାହାକୁ ନେଇ ବିରୋଧିଦଳ ପକ୍ଷରୁ ସ୍ୱାଧୀକାରଭଙ୍ଗ ନୋଟିସ୍ ଦିଆଯାଇଥିଲା ।