ବୟସ ମାତ୍ର ୧୪ ବର୍ଷ । ହେଲେ ଗଣିତ ଏମିତି ମୁହଁରେ ମୁହଁରେ ସମାଧାନ କରୁଛନ୍ତି, ତାକୁ ନଦେଖିଲେ ହୁଏତ ଆପଣ ବିଶ୍ବାସ କରିବେନି । ଯେତେବଡ଼ ଅଙ୍କ ଦେଲେ ବି ଗୋଟେ ସେକେଣ୍ଡରେ ଭାଗଫଳ ବାହାରୁଛି । ୩୦ ସେକେଣ୍ଡରେ ଜଟିଳ ଗଣିତର ସମାଧାନ ହେଇଯାଉଛି । ଏମିତି ଅସମ୍ଭବ କାମକୁ ସମ୍ଭବ କରି ଦେଖାଉଛନ୍ତି ମହାରାଷ୍ଟ୍ରର ଆର୍ୟ୍ୟନ ଶୁକ୍ଲା । ହ୍ୟୁମାନ କାଲକୁଲେଟର ନାଁ ରେ ସେ ପରିଚିତ ଅଟନ୍ତି । ଗଣିତରେ ନିଜର ଅନନ୍ୟ ପ୍ରତିଭା ପାଇଁ ସେ ବିଶ୍ବ ରେକର୍ଡ କରିବାରେ ସଫଳ ହୋଇ ପାରିଛନ୍ତି ।
ଦୁବାଇରେ ଚାଲିଥିବା ମେଣ୍ଟାଲ କାଲକୁଲେସନ ପ୍ରୋଗ୍ରାମରେ ସେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲେ । ୧୦୦ଟି ୪ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ମାତ୍ର ୩୦ ସେକେଣ୍ଡରେ , ୨୦୦ଟି ୪ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ୧ ମିନିଟ୍ରେ ଓ ୫୦ଟି ପାଞ୍ଚଅଙ୍କ ବିଶିଷ୍ଟ ସଂଖ୍ୟାକୁ ୧୮ ସେକେଣ୍ଡରେ ଯୋଗ କରି ରେକର୍ଡ କରିଛନ୍ତି ଆର୍ୟ୍ୟନ । ଏହା ସହିତ ୨୦ ଅଙ୍କ ସଂଖ୍ୟାକୁ ୧୦ ଅଙ୍କ ସଂଖ୍ୟା ସହିତ ୫ ମିନିଟ୍ ୪୨ ସେକେଣ୍ଡରେ ବିଭାଜିତ କରି, ଦୁଇଟି ୫ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ୫୧.୬୯ ସେକେଣ୍ଡରେ ଏବଂ ଆଉ ଦୁଇଟି ୮ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ୨ ମିନିଟ୍ ୩୫.୪୧ ସେକେଣ୍ଡରେ ଗୁଣିବା ସହ ଏକ ନୂଆ ରେକର୍ଡ ତିଆରି କରିଥିଲେ । ଗିନିଜ୍ ବୁକ୍ ରେକର୍ଡ ଦ୍ବାରା ତାଙ୍କୁ ‘ହ୍ୟୁମାନ କାଲକୁଲେଟର’ ବୋଲି କୁହାଯାଉଛି ।
ଗଣିତ ଏମିତି ଏକ ବିଷୟ ଯାହାକୁ ବୁଝିବା ଏବଂ ସମାଧାନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ । କିନ୍ତୁ ମାତ୍ର କିଛି ସେକେଣ୍ଡରେ ସବୁ ବଡ ବଡ ଅଙ୍କର ମିଶାଣ, ଗୁଣନ , ବିଭାଜନ କରିଦେଉଛନ୍ତି ଏହି ୧୪ ବର୍ଷର ବାଳକ । ଗଣିତରେ ନିଜର ଅନନ୍ୟ ପ୍ରତିଭା ପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି । ପ୍ରତିଦିନ ସେ ୫ରୁ ୬ ଘଣ୍ଟା ଗଣିତ ଅଭ୍ୟାସ କରିଥାନ୍ତି । ଯୋଗ ମେଡିଟେସନ କରିବା ଦ୍ବାରା ତାଙ୍କ ମନ ଶାନ୍ତ ରହିବା ସହ ତାଙ୍କର ଗଣିତରେ ଧ୍ୟାନ କେନ୍ଦ୍ରିତ ହୁଏ ବୋଲି ସେ କହିଛନ୍ତି ।
ଆର୍ୟ୍ୟନଙ୍କ ଏପରି ବିସ୍ମୟ କାର୍ଯ୍ୟ ଦେଖି ତାଙ୍କୁ ପଚରା ଯାଇଥିଲା କି ,ଏତେ ଶୀଘ୍ର ବଡ ବଡ ନମ୍ବର ଗୁଡିକୁ ମନ ଭିତରେ କାଲକୁଲେସନ କରିବା ସମୟରେ ତାଙ୍କ ମନରେ କ୩ଣ ଚାଲେ । ଏହାର ଉତ୍ତରରେ ସେ କହିଛନ୍ତି କିଛି ସେକେଣ୍ଡ ଭିତରେ ବହୁତ କିଛି ଫ୍ଲାସବ୍ୟାକ ଚାଲେ ତାଙ୍କ ମନରେ ।
ତେବେ ୨୦୨୨ରେ ଜର୍ମାନୀରେ ” ମେଣ୍ଟାଲ କାଲକୁଲେସନ ୱାର୍ଲ୍ଡ କପ୍” ଆୱାର୍ଡ ପାଇଥିଲେ ଆର୍ୟ୍ୟନ । ମାତ୍ର ୬ ବର୍ଷ ବୟସରୁ ସେ ଏପରି ମେଣ୍ଟାଲ କାଲକୁଲେସନ ଅଭ୍ୟାସ କରୁଛନ୍ତି ।