ଗୋଟିଏ କୋଠାରେ ରହିବ ସାରା ସହର । ମରୁଭୂମିରେ ତିଆରି ହେଉଛି ଏମିତି କୋଠା ଯାହା ଭିତରେ ରହିବେ କୋଟିଏ ଲୋକ । ହଁ ଆଜ୍ଞା ସାଉଦି ଆରବରେ ତିଆରି ହେଉଛି ଏମିତି ସହର । ପାଠ ପଢାଠୁ ନେଇ ଘର ତିଆରି ପର୍ଯ୍ୟନ୍ତ ସବୁଥିରେ ବ୍ୟବହାର ହେଉଛି ନୂଆ ନୂଆ ଜ୍ଞାନ କୌଶଳ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ୫୦୦ ଆରବ ଡଲାର ଖର୍ଚ୍ଚ ବିନିମୟରେ ମରୁଭୂମିରେ ନିର୍ମାଣ ହେଉଛି ନିଓମ ମେଗାସିଟି ।
ଏହା ହେଉଛି ସାଉଦି ରାଜା ମହମ୍ମଦ ବିନ୍ ସଲମାନଙ୍କର ସ୍ୱପ୍ନର ପରିକଳ୍ପନା । ୨୦୩୪ ସୁଦ୍ଧା ଏହାକୁ ସମ୍ପର୍ଣ୍ଣ କରିବାକୁ ଲକ୍ଷ ରଖା ଯାଇଛି । ନିଓମର ମୁଖ୍ୟ ପ୍ରକଳ୍ପ ଅଧିକାରୀଙ୍କ କହିବା ମୁତାବକ ଏହା ବିଶ୍ୱର ସବୁଠାରୁ ଲମ୍ବା କୋଠା ହେବ । ଏହି କୋଠା ଭିତରେ ୯ ମିଲିୟନ ଲୋକ ରହିପାରିବେ । ସାଧାରଣ ଜୀବନରେ ମଣିଷ ବଞ୍ଚୁଥିବା ଲାଇଫଷ୍ଟାଇଲ ଏହା ଭିତରେ ଦେଖିବାକୁ ମିଳିବ । ଏହି ସହର ଭିତରେ ୮୦ ହଜାର ରେସିଡେନସିଆଲ ୟୁନିଟ, ୯ ହଜାର ହୋଟେଲ, ରିଟେଲ ସ୍ପେଶ, ସ୍କୁଲ, ପୋଲିସ ଷ୍ଟେସନ, ଫାୟାର ଷ୍ଟେସନ ଆଦି ରହିବ । ଏହା ସହ ୨୦୩୪ ଫିଫା ୱାଲ୍ଡକପ୍ ହୋଷ୍ଟ କରିବାକୁ ଏକ ଷ୍ଟାଡିୟମ ମଧ୍ୟ ନିର୍ମାଣ ହେବ । ଏହି ସହର ଭିତରେ ଯେଉଁ ଗାଡି ଚଳାଚଳ ହେବ ସେଥିରୁ ୯୦ ପ୍ରତିଶତ ଗାଡି ବ୍ୟାଟେରୀ ଚାଳିତ ହେବ । ଏହାସହ ୯୫ ପ୍ରତିଶତ ଜମି ପ୍ରକୃତିର ସଂରକ୍ଷଣ ପାଇଁ ଛଡାଯିବ ।
ଏହାକୁ ନିର୍ମାଣ କରିବାକୁ ୧୩୦ ମିଲିୟନ କୁ୍ୟବିକ୍ ମିଟରରୁ ଅଧିକ ମାଟି ହଟାଯାଇଛି । ଏହି ସହର ନିର୍ମାଣ କରିବାକୁ ମୋଟ ୪ ହଜାର ଟ୍ରକ୍ ଓ ୫ ଶହରୁ ଅଧିକ ଶ୍ରମିକ କାମରେ ଲାଗିଛନ୍ତି । କୁହାଯାଉଛି ଏହି ସହର ଅଲଗା ଏକ ଦୁନିଆ ଭଳି ଲାଗିବ ।