ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୧.୦୨): ବିଭିନ ଧର୍ମର ଲୋକେ ନିଜର ବିଶ୍ୱାସ ଓ ଧର୍ମକୁ ନେଇ ବିଭିନ୍ନ ଧାର୍ମିକ ଚିତ୍ରମାନ ଗୃହରେ ରଖିବାକୁ ପସନ୍ଦ କରିଥାନ୍ତି। ବାସ୍ତୁସିଦ୍ଧାନ୍ତ ଅନୁସାରେ ଏହି ଧାର୍ମିକ ଚିତ୍ରଗୁଡ଼ିକର ଉପକାରିତା ଓ ଅପକାରିତାର ପ୍ରଭାବ ରହିଛି। ଏଣୁ ବାସ୍ତୁ ଅନୁସାରେ ଏହି ଧାର୍ମିକ ଚିତ୍ରଗୁଡିକୁ ସଜାଇବା ଦ୍ୱାରା ଆମକୁ ଶୁଭ ଫଳ ମିଳିଥାଏ। ଏଣୁ ଧାର୍ମିକ ଚିତ୍ର ସାଜସଜାକୁ ନେଇ କେତେକ ମୁଖ୍ୟ ନିୟମ ନିମ୍ନରେ ଦିଆଗଲା। ଏହାକୁ ମାନିଲେ ଶୁଭଫଳ ମିଳିବାର ସମ୍ଭାବନା ରହିଛି।
ଲୋକେ ଅନେକ ସମୟରେ ମାର୍କେଟ୍ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ।
ଆମ ଅବଚେତନ ମନରେ ଥିବା ପ୍ରଭାବ ଆମ ଉପରେ ତା’ର ପ୍ରତିଫଳନ ହୋଇଥାଏ। ଏଣୁ ଏହି ଛବିମାନ ଥିବା ଘରେ ଅନେକ ସମୟରେ କଳି ଝଗଡ଼ା ସବୁ ବେଶି ଦେଖାଯାଏ। ଏଣୁ ଏହି ଛବି ଯଦି ଥାଏ ଏବଂ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥାଏ ତେବେ ଏହାକୁ ତୁରନ୍ତ କାଢି ଦିଅନ୍ତୁ।
ପଥର, କାଠ କିମ୍ବା ଧାତୁ ନିର୍ମିତ ବଡ ମୂର୍ତ୍ତିମାନ ଘରେ ରଖନ୍ତୁ ନାହିଁ। କାରଣ ଏହିସବୁ ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନା କରି ବିଶେଷ ନିୟମରେ ପୂଜା ଅର୍ଚ୍ଚନା କରାଯାଇଥାଏ, ଯାହା ଗୃହସ୍ଥମାନେ ଘରେ ଏହିସବୁ ନିୟମରେ ପୂଜା କରିପାରିବା ସମ୍ଭବ ହୁଏ ନାହିଁ। ଏହିସବୁ ବଡ ମୂର୍ତ୍ତିମାନ ଘରେ ଥିଲେ ଏହାଦ୍ୱାରା ଅନେକ ଅଶୁଭ ଫଳ ଗୃହବାସୀଙ୍କ ଉପରେ ପଡ଼ିଥାଏ। ଏଣୁ ଏହିସବୁ ମୂର୍ତ୍ତି ଯଦି ଘରେ ଥାଏ ତେବେ ଏହାକୁ ଦେବାଳୟରେ ଦେଇ ଦିଅନ୍ତୁ।
ନିଜର ସ୍ୱର୍ଗବାସୀ ପୂର୍ବଜଙ୍କର ଚିତ୍ର ଘରେ ରଖିବା ଶୁଭ ନୁହେଁ। କିନ୍ତୁ ଭଲପାଇବା ଦୃଷ୍ଟିରୁ ପ୍ରାୟ ଲୋକ ସେମାନଙ୍କ ଫଟୋଚିତ୍ର ଘରେ ରଖିଥାନ୍ତି। ଏହା ନକାରାତ୍ମକ ପ୍ରଭାବ ପକାଏ। ଯଦି ଘରେ ଏହିସବୁ ଫଟୋଚିତ୍ର ରଖୁଛନ୍ତି ତେବେ ଘରର ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରଖିହେବ।
ଘରେ ଜୀବନ୍ତ ଲୋକମାନଙ୍କର ଫଟୋ ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ। ଅନେକ ସ୍ୱାମୀ ଓ ସ୍ତ୍ରୀଙ୍କ ବିବାହର ଫଟୋ, ପିଲାମାନଙ୍କର ଜନ୍ମଦିନ କିମ୍ବା କିଛି ଉତ୍ସବର ଫଟୋମାନ ସବୁ ରଖାଯାଇଥାଏ। ଯଦି ଏହିସବୁ ଫଟୋ ରଖିଛନ୍ତି ତେବେ ବାସ୍ତୁର ଏହି ସିଦ୍ଧାନ୍ତକୁ ନିଶ୍ଚୟ ମାନନ୍ତୁ, ଅନ୍ୟଥା ଏହି ଫଟୋଗୁଡିକର ସ୍ଥିତି ଯଦି ଭୁଲଥାଏ ତେବେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ଏବଂ ସ୍ୱାସ୍ଥ୍ୟହାନୀ ମଧ୍ୟ ଘଟିଥାଏ। ଏଣୁ ଜୀବିତ ଲୋକମାନଙ୍କର ଫଟୋ ସବୁବେଳେ ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ରଖିଲେ ଭଲ। କିନ୍ତୁ ଭୁଲ୍ରେ ବି ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରଖିବେ ନାହିଁ।
ଯଦି ରଖିଛନ୍ତି ତେବେ ଏହି ଫଟୋ ଗୁଡିକୁ ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗକୁ ସ୍ଥାନାନ୍ତର କରି ନିଅନ୍ତୁ। କିଛି ବିଶେଷ ଉପାୟ ପାଇଁ ଜୀବିତ ଲୋକଙ୍କ ଫଟୋକୁ ଦକ୍ଷିଣ-ପୂର୍ବ କୋଣରେ ରଖାଯାଇପାରେ କିନ୍ତୁ ଏହା ବାସ୍ତୁବିତଙ୍କ ପରାମର୍ଶରେ ରଖାଯାଏ। ଏହି ଜାଗାରେ ଫଟୋ ରଖିବା ଦ୍ୱାରା ଧନଧାନ୍ୟରେ ବୃଦ୍ଧି ହୋଇଥାଏ ଏବଂ ବିଶେଷ ଇଚ୍ଛାପୂର୍ତ୍ତି ପାଇଁ ଏହି ପ୍ରୟୋଗ କରାଯାଇଥାଏ।
ବିନା ବାସ୍ତୁବିତ୍ଙ୍କ୍ ପରାମର୍ଶରେ ବହୁତ ଲୋକ ବହିରୁ କିମ୍ବା ଇଣ୍ଟରନେଟ୍ରୁ ପଢ଼ି ଫଟୋ ରଖି ଅନେକ ବିପତ୍ତିର ସମ୍ମୁଖୀନ ହେବାର ମଧ୍ୟ ଦେଖାଯାଇଛି।
ଏନେଇ ଆପଣମାନେ ଯଦି ଭୁଲ ଜାଗାରେ ଫଟୋ ରଖିଛନ୍ତି ଏବଂ ଶୁଭ ସ୍ଥାନକୁ ନେଇ ପାରୁନାହାନ୍ତି ତେବେ ଫଟୋ ଚିତ୍ର ସବୁ ହଳଦିଆ କପଡ଼ାରେ ଗୁଡ଼ାଇ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ (ଐଶାନ୍ୟ) ଦିଗରେ ଥିବା ଆଲମାରି ଭିତରେ ରଖି ଦିଅନ୍ତୁ।