ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।
ବଳଭଦ୍ର ମାଝୀ ଇସ୍ତଫା ପତ୍ରରେ ତାଙ୍କର ଏହି ପଦକ୍ଷେପର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନାହାନ୍ତି। ତେବେ ଦଳରେ ଅବହେଳିତ ହୋଇ ରହିଯାଇଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି।
ବିଜେଡି ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ବଳଭଦ୍ର ମାଝୀ ଲେଖିଛନ୍ତି, ୧୯୯୭ରେ ଦଳ ଗଠନ ହେବା ପରଠାରୁ ଆପଣଙ୍କ ସହିତ କାମ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।
ବଳଭଦ୍ର ମାଝୀ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ଥର ବିଧାୟକ ରହିଛନ୍ତି । ବିଜେଡି ଆରମ୍ଭରୁ ଦଳ ସହ ଥିଲେ ବଳଭଦ୍ର । ଜନତା ଦଳରୁ ଥରେ ବିଧାୟକ ହୋଇଥିବା ବଳଭଦ୍ର ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବଳଭଦ୍ରଙ୍କ ବଦଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା । ପ୍ରଦୀପ ଦଳକୁ ବିଜୟ ଭେଟି ଦେଇଥିବା ବେଳେ ବିଜେଡିରେ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା । ୨୦୧୯ରୁ ୨୦୨୪ ଯାଏଁ ଦଳରେ ରହିବା ପରେ ଏବେ ଦଳରେ ଅବହେଳା ହେଉଥିବା କହି ବିଜେଡି ଛାଡିଛନ୍ତି ବଳଭଦ୍ର ।