ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ । ବରଗଡ଼କୁ ଫେରିଲା ଦାଦନ ଶବ। ତେଲେଙ୍ଗାନାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ଶବ ଆଜି ଗାଁକୁ ଆସିଛି । ମୃତା ମହିଳା ଶ୍ରମିକଙ୍କ ନାମ ହୀରା ମୁଣ୍ଡା (୪୦) । ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ନାଗେନପାଲିର ଦୁର୍ଗା ମୁଣ୍ଡା ନିଜ ଛୁଆପିଲା ଧରି ଦାଦନ ଖଟିବାକୁ ତେଲେଙ୍ଗାନା କରିମ ନଗର ଅଞ୍ଚଳର କେବିସି ବ୍ରିକ୍ସକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ କ୍ରେନ୍ରେ କାମ କରୁଥିବା ସମୟରେ କ୍ରେନ୍ ଛିଣ୍ଡି ବଡ ଦୁର୍ଘଟଣା ଘଟିଥିଲା। ଏଥିରେ ମହିଳା ଶ୍ରମିକ ହୀରାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ତେଲେଙ୍ଗାନାର ରାଜ୍ୟର କୋଠପାଲି ଥାନାରେ କେସ୍ ନମ୍ବର ୧୨୩/୨୫ରେ ମାମଲା ରୁଜୁ ହୋଇଛି। ଠିକାଦାର ଜଣଙ୍କ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କ ଶବ ଗାଁକୁ ପଠାଇ ଦେଇଥିବା ବେଳେ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ମୃତକଙ୍କ ପରିବାର ବର୍ଗ ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ସରକାର୍ ଙ୍କୁ ଗୁହାରି କରିଛନ୍ତି।