ଭୁବନେଶ୍ୱର : ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ୫ଶହରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ ତଳେ ରହିଛି ।
ଡେଙ୍ଗୁ ଆକ୍ରାନ୍ତ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୩ହଜାରରୁ ଅଧିକ ରକ୍ତ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ମାତ୍ର ୨୬୩ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ଜଣେ ହେଲେ କାହାର ବୃଦ୍ଧି ହୋଇନାହିଁ ।
ତେବେ ଗତବର୍ଷ ଏହି ସମୟରେ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ୭୨୪୬ ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୫୦୧ଜଣ ରକ୍ତରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା । ଚଳିତବର୍ଷ ଭଳି ଗତବର୍ଷ ଖୋରଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ସିଂହଭାଗ ରହିଥିଲେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ । ସେହଭଳି ଗତବର୍ଷ ରାୟଗଡାରେ ୧୦୨ ଆକ୍ରାନ୍ତରେ ଚିହ୍ନଟ ହୋଇଥିବାବେଳେ କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାଖପାଖି ଥିଲା ।
ଚଳିତବର୍ଷ ଯଦିଓ ଖୋରଧା ଜିଲ୍ଲାରେ ୧୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତେବେ ଅନ୍ୟ ଜିଲ୍ଲାଗୁଡିକରେ ଆକ୍ରାନ୍ତରେ ସଂଖ୍ୟା ୨୦ ତଳେ ରହିଛି । ବାଲେଶ୍ୱରରେ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୧୫, ପୁରୀରେ ୧୪, ଯାଜପୁରରେ ୧୨, ଜଗତସିଂହପୁର ଓ ନୟାଗଡରେ ୧୦ଜଣ କରି ଚିହ୍ନଟ ହୋଇଛନ୍ତି । ଅନୁଗୁଳ, ବରଗଡ, ବଲାଙ୍ଗିର, ବୌଦ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁରରେ ଗୋଟିଏ ହେଲେ ଡେଙ୍ଗୁ ଆକ୍ରାନ୍ତ ରିପୋର୍ଟ ଆସିନାହିଁ ।