ପୁରୀ: ସବୁ ପ୍ରତିକ୍ଷାର ଘଟିଲା ଅନ୍ତ . ଜଗତର ନାଥ ଜଗନ୍ନାଥଙ୍କୁ ଦେଖିବା ପାଇଁ ଯେଉଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ନାହିଁ .., ଆଜି ସକାଳୁ ଖୋଲିଛି ଶ୍ରୀମନ୍ଦିରର ଚାରିଦ୍ୱାର ଆଜି ସକାଳେ ମହାପ୍ରଭୁଙ୍କ ସକାଳ ମଙ୍ଗଳ ଆଳତି ସରିବା କ୍ଷଣି ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା ଶ୍ରୀମନ୍ଦିରର ସିହଦ୍ୱାର ସମେତ ଅନ୍ୟ ତିନି ଦ୍ୱାର ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଉତ୍ତର ଦ୍ୱାର ବା ହସ୍ତି ଦ୍ୱାର ଓ ଦକ୍ଷିଣ ଦ୍ୱାର ବା ଅଶ୍ୱ ଦ୍ୱାର। ସବୁ ଦ୍ୱାର ଖୋଲିବା ପରେ ଭକ୍ତମାନେ ମନ୍ଦିର ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରି ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର। ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ। ୪ ଦ୍ୱାର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ୱାର ଖୋଲାଯାଇଛି। ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଥିଲୁ। ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନେବୁ। କରୋନା ମହାମାରୀ ପରଠାରୁ ଶ୍ରୀମନ୍ଦିର ୪ ଦ୍ୱାର ବନ୍ଦ ରହିଥିଲା। ନିର୍ବାଚନ ପ୍ରଚାର ବେଳେ ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ୪ ଦ୍ୱାରକୁ ଖୋଲାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। ନବ ଗଠିତ ବିଜେପି ସରକାର ତାହା ପୂରଣ କରିଛନ୍ତି। ଗୁରୁବାର ସକାଳେ ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାରଗୁଡ଼ିକୁ ଖୋଲି ଦିଆଯାଇଛି। କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ୱାର ବନ୍ଦ କରିଥିଲେ ପୂର୍ବତନ ରାଜ୍ୟ ସରକାର। ୨୦୨୧ ନଭେମ୍ବର ୨୪ ତାରିଖରେ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ବନ୍ଦ ହୋଇଥିଲା ୩ ଦ୍ୱାର। ୨୦୨୨ ଫେବ୍ରୁଆରୀ ୩ ତାରିଖରେ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରିବା ନେଇ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯିବାରୁ ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ ଭକ୍ତ। ସବୁଠୁ ବେଶୀ କଲବଲ ହୋଇଥିଲେ ପୁରୀ ବାସିନ୍ଦା ଓ ମଠ ମନ୍ଦିର ଅନ୍ତେବାସୀ। ସରକାର ୨୦୨୩ ଜୁଲାଇ ୨୪ରେ କେବଳ ସେବାୟତ ଓ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲିଥିଲେ। ହେଲେ ସିଂହ ଦ୍ୱାର ପଟେ ବ୍ୟାରିକେଡ୍ ଯନ୍ତ୍ରଣା ଭୋଗିଲେ ବୃଦ୍ଧ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ।