ନୂଆଦିଲ୍ଲୀ: କୋଭିଡ୍ ଟିକା ନେବା ପରେ ଏଯାବତ୍ ଦେଶରେ ୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି। ତେବେ, ଏଥିରୁ କୌଣସି ଗୋଟିଏ ବି ମୃତ୍ୟୁ କୋଭିଡ୍ ଟିକା ଜନିତ ନୁହେଁ। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହରିୟାଣା ଗୁରୁଗ୍ରାମର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଶବବ୍ୟବଚ୍ଛେଦରୁ ଜଣାପଡ଼ିଛି ତାଙ୍କ ମୃତ୍ୟୁର କାରଣ ଶ୍ୱାସରୋଗ। ମୃତ୍ୟୁ କୋଭିଡ୍ ଟିକା କାରଣରୁ ହୋଇନାହିଁ। ଟିକାକରଣ ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାହାରି ବି ମୃତ୍ୟୁ ଟିକା ପାଇଁ ହୋଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି। ଟିକାକରଣ ପରେ ୧୧ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୋଟ ଟିକାକରଣ ୦.୦୦୦୭ ପ୍ରତିଶତଙ୍କୁ ଗତ ୨୪ ଘଣ୍ଟାରେ ମେଡିକାଲ ଚିକିତ୍ସା ଦିଆଯାଇଛି। କୋଭିଡ୍ ଟିକାକରଣର ଅଷ୍ଟମ ଦିନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୫ ଲକ୍ଷ ୩୭ ହଜାର ୧୯୦ ଜଣଙ୍କୁ ୨୭ ହଜାର ୭୭୬ଟି ସେସନରେ କୋଭିଡ୍ ଟିକା ଦିଆଯାଇଛି। ସେହିଭଳି ଆଜି ଓଡ଼ିଶାରେ ୨୨ ହଜାର ୩୬୪ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ଜଣାପଡ଼ିଛି ।