<h3>ପୁଣି ଚର୍ଚ୍ଚାର ଆଦିବାସୀ ଗାଁ ତୁର୍କା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଞ୍ଜି ପଞ୍ଚାୟତ କୁଟିଆକନ୍ଧଙ୍କ ତୁର୍କା ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ବର୍ଷ ବର୍ଷ ଧରି ବିକାଶ କରିବା ନାଁରେ ରାଜନେତା,ପ୍ରଶାସନ ଓ ସରକାର ଠକି ଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।ଲାଞ୍ଜି ପଞ୍ଚାୟତର ଏହି ଆଦିବାସୀ ତୁର୍କା ଗାଁରେ ୧୦୦ ବର୍ଷ ପୂର୍ବରୁ ୩୦ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି। କିନ୍ତୁ ରାଜନେତା ଓ ପ୍ରଶାସନର ଅବହେଳା ଯୋଗୁଁ ସବୁ ଯୋଜନା ଏହି ଗାଁ ପାଇଁ ଅପହଞ୍ଚ ହୋଇ ରହିଛି । ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ବହୁ କଷ୍ଟରେ ପାଦ ଚଲା ରାସ୍ତାରେ ଯାତାୟାତ କରୁଥିବା ବେଳେ ସରକାରୀ କର୍ମଚାରୀ, ଶିକ୍ଷକ,ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ବିଡିଓ, ସରପଞ୍ଚ, ବିଧାୟକ, ସାଂସଦ କେହିବି ଗାଁକୁ ଥରେ ହେଲେବି ଯାଇନାହାନ୍ତି। ୧୦୦ ବର୍ଷର ତୁର୍କା ଗାଁରେ କୌଣସି ଝିଅ ସରକାରୀ ସ୍କୁଲରେ ପାଠ ପଢ଼ିନ ଥିବା, ଗାଁର କୌଣସି ଲୋକଙ୍କୁ କୋଭିଡ ଟିକା,ଗର୍ଭବତୀ ଓ ଶିଶୁଙ୍କୁ ପ୍ରତିଶୋଧକ ଟିକା କିମ୍ବା ପୋଲିଓ ବୁନ୍ଦା ପାଇନଥିବା,ଆବାସ ଯୋଜନାରେ ଘର ପାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି ତୁର୍କା ଗ୍ରାମବାସୀ ।</h3>