ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯିବା ପରେ ଦଳ ଭିତରେ ବଢିଚାଲି ଅସନ୍ତୋଷ । ଏବେ ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜକୁମାର ଆନନ୍ଦ ମନ୍ତ୍ରୀପଦ ଛାଡିଛନ୍ତି । କେବଳ ସେତିକି ନୁହେଁ ସେ ଦଳର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଜକୁମାର ଆନନ୍ଦ କେଜ୍ରିୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ। ଦଳରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜକୁମାର ଆନନ୍ଦ। ସେ ଅଭିଯୋଗ କରିଛନ୍ତି ଯେ ଦଳରେ ବିଧାୟକ କିମ୍ବା କାଉନସିଲରଙ୍କୁ ସମ୍ମାନ ଦିଆଯାଏ ନାହିଁ। ଦଳିତଙ୍କୁ ପ୍ରମୁଖ ପଦ ପଦବୀରେ ସ୍ଥାନ ଦିଆଯାଏ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଆମ୍ବେଦକରଙ୍କ ନୀତିକୁ ଅନୁସରଣ କରନ୍ତି । କିନ୍ତୁ ସେ ଯଦି ଦଳରେ ଦଳିତମାନଙ୍କ ପାଇଁ କାମ କରିପାରିବେ ନାହିଁ, ତେବେ ସେ ଦଳରେ କାହିଁକି ରହିବେ ବୋଲି ପ୍ରଶ୍ନ କରିଛନ୍ତି । ରାଜେନ୍ଦ୍ର ପାଲ ଗୌତମଙ୍କ ଇସ୍ତଫା ପରେ ୨୦୨୨ରେ ରାଜ କୁମାର ଆନନ୍ଦଙ୍କୁ କେଜ୍ରିଓ୍ୱାଲ ସରକାରରେ ମନ୍ତ୍ରୀ କରାଯାଇଥିଲା। ସେହି ସମୟରେ ସାମାଜିକ କଲ୍ୟାଣ ବିଭାଗ ପରିଚାଳନା କରୁଥିବା ରାଜେନ୍ଦ୍ର ପାଲ ଗୌତମ ଧାର୍ମିକ ଭାବନାକୁ ଭଡକାଇବା ଅଭିଯୋଗରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଗତ ବର୍ଷ ନଭେମ୍ବରରେ ଯେତେବେଳେ ଇଡି ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଡାକିଥିଲା, ସେତେବେଳେ ଠିକ୍ ଏହା ପୂର୍ବରୁ ଇଡି ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା। ଦିଲ୍ଲୀ ସରକାରୀ ସିଭିଲ୍ ଲାଇନରେ ଥିବା ମନ୍ତ୍ରୀଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଇଡିର ଟିମ୍ ରେଡ୍ କରିଥିଲା। ରାଜକୁମାର ଆନନ୍ଦଙ୍କ ବ୍ୟବସାୟ ସହ ଜଡିତ ମାମଲାରେ ଇଡି ଏହି ଚଢ଼ାଉ କରିଥିବା ପରେ ଜଣାପଡିଥିଲା।