କାହିଁକି ହେଉଛି ବାରମ୍ବାର ଟ୍ରେନ ଦୁର୍ଘଟଣା । ଭାରତୀୟ ରେଳବାଇରେ ଅନେକ ଆଧୁନିକରଣ ସତ୍ୱେ କିହିଁକି ହେଉଛି ମାନବୀୟ ତ୍ରୁଟି ? ଅନେକ ସମୟରେ ଦୁର୍ଘଟଣାର କାରଣ ରହୁଛି ସିଗନାଲରେ ତ୍ରୁଟି, ମାନବୀୟ ତ୍ରୁଟି ଓ ଭିତ୍ତିଭୁମିରେ ମରାମତିର ଅଭାବ । ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ମନରୁ ନଲିଭୁଣୁ, ପୁଣି ଏକ ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି । ରବିବାର କଟକ ମଙ୍ଗୁଳି ଷ୍ଟେସନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ହୋଇଥିଲା ଲାଇନଚୁ୍ୟତ । ଦୁର୍ଘଟଣାରେ ଜଣେ ମୃତୁ୍ୟବରଣ କରିଥିବା ବେଳେ ୧୦ରୁ କମ୍ ଆହତ ହୋଇଛନ୍ତି । ଟ୍ରେନଟି କାହିଁକି ଲାଇନଚୁ୍ୟତ ହେଲା ଏହାର କାରଣ ଖୋଜିବା ପାଇଁ ରଳ ବିଭାଗର ଏକ କମିଟି ଗଠିତ ହୋଇଛି । କମିଟି ତଦନ୍ତ କରି ରିପୋର୍ଟ ଦେଇ ସାରିବା ପରେ ରେଳ ବିଭାଗ ଏହାକୁ କେତେ ଗୁରୁତର ସହ ନେବ ତାହା ଭିନ୍ନ କଥା । କିନ୍ତୁ ରେଳ ବିଭାଗର ଅବହେଳା ଯୋଗୁଁ ବାରମ୍ବାର ରେଳ ଦୁର୍ଘଟଣା ଘଟୁଛି ଏହା ସ୍ପଷ୍ଟ । ୨୦୨୩ ଜୁନ୍ ୨ରେ ଭାରତର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ବାଲେଶ୍ୱରରେ ହୋଇଥିଲା । ସିଗନାଲରେ ତ୍ରୁଟି ଯୋଗୁଁ ଠିଆ ହୋଇଥିବା ମାଲ ଗାଡିକୁ ପିଟି ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ଦୁର୍ଘଟଣାରେ ୨୧ ବଗି ଲାଇନଚୁ୍ୟତ ହୋଇଥିଲା । କିଛି ବଗି ଛିଟିକି ପଡି ବ୍ୟାଙ୍ଗଲୁରୁ-ହାୱଡା ସୁପରଫାଷ୍ଟ ଟ୍ରେନ୍ ସହ ପିଟି ହୋଇଥିଲା । ଦୁର୍ଘଟଣାରେ ମୃତୁ୍ୟବରଣ କରିଥିଲେ ୨୯୬ ଯାତ୍ରୀ ଓ ଆହାତ ହୋଇଥିଲେ ୧୨ ଶହରୁ ଅଧିକ । ତଦନ୍ତ ପରେ ଜଣାପଡିଲା ଭୁଲ୍ ସିଗନାଲିଂ ଓ ଅନେକ ଅପରେସନାଲ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିଲା । ଅବହେଳା ପାଇଁ ସିବିଆଇ ୩ ରେଳ କର୍ମଚାରୀଙ୍କୁ ଗିରଫ କରିଥିଲା । ୨୦୨୩ ପରଠାରୁ ଓଡିଶାରେ ଅନେକ ରେଳ ଦୁର୍ଘଟଣା ହୋଇଛି । ୨୦୨୩ ସେପ୍ଟେମ୍ବର ୨୯ରେ କଟକ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଏଥିରେ ଜଣେ ଯାତ୍ରୀଙ୍କ ମୃତୁ୍ୟ ହୋଇଥିବା ବେଳେ ଆହତ ହୋଇଥିଲେ ୨୨ ଜଣ । ଏହି ଘଟଣା ଓଡିଶାରେ ରେଳବାଇ ଭିତ୍ତିଭୂମି ଉପରେ ପ୍ରଶ୍ନ ଉଠାଇଛି । ଆଉ ଏବେ ପୁଣି ଏକ ଦୁର୍ଘଟଣା । ଦୁର୍ଘଟଣାର ପାରିପାଶ୍ବିକ ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ- ରେଳଧାରଣାଗୁଡିକର ସଠିକ ରକ୍ଷଣାବେକ୍ଷଣ କରାଯାଉନାହିଁ । ବର୍ଷବର୍ଷ ଧରି ନୂଆ ରେଳଧାରଣା ପକାଯାଉନାହିଁ । ଏପରିକି ରେଳଧାରଣା ମଧ୍ୟରେ ଥିବା ପଥର ଗେଟି, ସିମେଣ୍ଟ ସ୍ଲାବର ମଧ୍ୟ ପରିବର୍ତ୍ତନ କରାଯାଉନାହିଁ । ନିୟମିତ ବ୍ୟବଧାନରେ ରେଳ ଧାରଣାର ଯାଞ୍ଚ ଓ ଖାମଖିଆଲି ମନୋଭାବ ଯୋଗୁ ରେଳଯାତ୍ରୀଙ୍କ ଜୀବନ ବିପଦରେ ପଡୁଛି । ବାଲେଶ୍ୱର ବାହାନଗା ଦୁର୍ଘଟଣା ପରେ ଭାରତୀୟ ରେଳବାଇ ଦେଶରେ ସିଗନାଲିଂ ପ୍ରୋଟକଲରେ ଉନ୍ନତି ସହିତ ସେପ୍ଟି ଅଡିଟ୍ ଓ ଦେଶରେ ଟ୍ରେନ୍ ଚଳାଚଳ ରୁଟ୍ ରେ କବଚ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲା । ତଥାପି ଦୁର୍ଘଟଣା କମୁନାହିଁ । ପ୍ରଶ୍ନ ଉଠୁଛି ସିଗନାଲିଂ ପ୍ରୋଟକଲରେ ଉନ୍ନତି ହୋଇଛଇ କି..? ଭିତ୍ତିଭୁମିରେ କେତେ ସୁଧାର ଆସିଛି । ନିୟମିତ ସେପ୍ଟି ଅଡିଟ୍ ହେଉଛି କି ନାହିଁ..?କବଚ ଲଗାଇବା କାର୍ଯ୍ୟ କେତେ ଅଗକୁ ବଡିଛି..? ସେପଟେ ରେଳ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ବ୍ୟବସ୍ଥାଗତ ତୃଟି ଏଭଳି ଦୂର୍ଘଟଣାର ମୁଖ୍ୟ କାରଣ ।