<h3>ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ତିନି ଦଳର ହାଇଭଲଟେଜ ନେତାମାନେ ଜଣେ ପରେ ଜଣେ ଓଡିଶା ଆସି ନିଜ ନିଜ ଦଳ ପାଇଁ ପ୍ରଚାର ପ୍ରସାର ଜାରି ରଖିଛନ୍ତି । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଲାଙ୍ଗୀର ଗସ୍ତରେ ଆସି ଦଳ ପାଇଁ ପ୍ରଚାର କରିଥିବାବେଳେ ବିଜେପିର ହାଇଭଲଟେଜ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋରଡା ଗସ୍ତରେ ଆସି ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇଛନ୍ତି । ସେହିପରି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ଜିଲ୍ଲା୍କୁ ଗସ୍ତ କରି ନିଜ ଦଳକୁ ସୁଦୃଢ କରିବାକୁ ପ୍ରଚାର ପ୍ରସାର ଜାରି ରଖିଛନ୍ତି । ତେବେ ମେ ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ମତଦାନ ହେବାକୁ ଥିବାବେଳେ କାଲି ଅର୍ଥାତ୍ ମେ ୧୬ ତାରିଖ ଦିନ ଭୁବନେଶ୍ୱରରେ ଦଳ ପାଇଁ ପ୍ରଚାର କରିବା ସହ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ସେ ସନ୍ଧ୍ୟା ୬ ଘଟିକା ୨୫ ମିନିଟ୍ ସମୟରେ ନବୀନ ନିବାସରୁ ବାହାରି ସନ୍ଧ୍ୟା ୬ ଘଟିକା ୩୦ ମିନିଟ୍ରେ ଗଙ୍ଗନଗର ଛକ ନିକଟରେ ପହଞ୍ଚି ରୋଡ ସୋ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ତାଙ୍କର ଏହି ରୋଡ ସୋ ଗଙ୍ଗନଗର ଛକ ନିକଟରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ ଦେଇ ଡିଏଭି ସ୍କୁଲ ଛକ,ଶ୍ରୀ କି୍ରଷ୍ଣା କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବ ମଠ ଲେନ୍, ସତ୍ୟନଗର, ଶିଶୁ ଭବନ ଛକ ହୋଇ ସନ୍ଧ୍ୟା ୭ ଘଟିକା ୪୦ ମିନିଟ୍ ସମୟରେ ନବୀନ ନିବାସ ସମ୍ମୁଖରେ ଶେଷ ହେବ । ତାଙ୍କର ଏହି ରୋଡ ସୋ ସମୟରେ ସେ କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବ ମଠ ଲେନ, ସତ୍ୟନଗର, ଶିଶୁ ଭବନ ଛକ ଏବଂ ନବୀନ ନିବାସ ସମ୍ମୁଖରେ ଜନତାଙ୍କ ସହ ସାକ୍ଷାତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କର ଏହି ରୋଡ ସୋ ପାଇଁ ନବୀନ ନିବାସ ବେଶ୍ ଚଳଚଞ୍ଚଳ ହୋଇଉଠିଛି ଏବଂ ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ରୋଡ ସୋ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ଏବଂ ପୋଲିସ ପ୍ରଶାସନକୁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।</h3>