କାରଖାନା ସମ୍ମୁଖରେ ମୃତ ମହିଳାଙ୍କ ଶେଷକୃତ୍ୟ ସଂପନ୍ନ କରିବାକୁ ବିସ୍ଥାପିତ ପରିବାର ପକ୍ଷରୁ ପ୍ରସ୍ତୁତ ହେବାପରେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଘଟଣାର ସମାଧାନ କରିଥିବା ଜଣାପଡିଛି।କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ପ୍ରକଳ୍ପ ପାଇଁ ବାସଚ୍ୟୁତ ହୋଇଥିବା ପରିବାରର ଜଣେ ମହିଳା ସଦସ୍ୟ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗରେ ବିସ୍ଥାପିତ ପରିବାରର ସଦସ୍ୟ ମାନେ ଗତ ବୁଧବାର ଅପରାହ୍ନରେ କାରଖାନା ସମ୍ମୁଖରେ ମହିଳାଙ୍କ ମୃତଦେହ ରଖି ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତେଜନା ଲାଗିରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଏସ ଟପେ,ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିଥିଲା। ଘଟଣାରୁ ପ୍ରକାଶ ନୀଳାଚଳ ଇସ୍ପାତ ନିଗମ ପାଇଁ ବିସ୍ଥାପିତ ହୋଇଥିବା ବାରଗାଡ଼ିଆ ପଞ୍ଚାୟତର ଫୁତକାର ପୂର୍ତ୍ତି ସେଠାରେ ନିଯୁକ୍ତି ପାଇଥିଲେ। ଗତ ୨୦୨୧ ମସିହାରେ ଫୁତକାରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମାନେ ନାବାଳକ ଥିବାରୁ ସେମାନଙ୍କୁ ନିଯୁକ୍ତି ଦିଆଯାଇନଥିଲା। ଗତ କିଛିଦିନ ପୂର୍ବରୁ ଫୁତକାରଙ୍କ ପତ୍ନୀ ଜମୁନାଙ୍କ ଶାରୀରିକ ଅବସ୍ଥା ଗୁରୁତର ହେବାରୁ ପିଲାମାନେ ମାଙ୍କ ଚିକିତ୍ସା ପାଇଁ ନୀଳାଚଳ ଇସ୍ପାତ କତୃପକ୍ଷଙ୍କୁ ଭେଟି ମୌଖିକ ଓ ଲିଖିତ ଦାବୀ ଜଣାଇଥିଲେ ମଧ୍ୟ ବିସ୍ଥାପିତ ମୃତକ ପରିବାରକୁ କୌଣସି ସହଯୋଗ କରି ପାରିବେ ନାହିଁ ବୋଲି କତୃପକ୍ଷ ମାନାକରିଥିଲେ। ସରକାର ଟାଟା କମ୍ପାନୀକୁ କାରଖାନା ହସ୍ତାନ୍ତର କରିବା ସମୟରେ ଏନେଇ କୌଣସି ଚୁକ୍ତି କରିନଥିବାରୁ ଟାଟା ସଂପୃକ୍ତ ପରିବାରକୁ ସାହାଯ୍ୟ କରିପାରିବ ନାହିଁ ବୋଲି କହିଥିଲେ। ଫୁତକାରଙ୍କ ପତ୍ନୀ ଜମୁନା ଦୀର୍ଘ ୪୧ ଦିନ ଅସହାୟ ଅବସ୍ଥାରେ ବିସ୍ତାପିତ କଲୋନିରେ ଅସୁସ୍ଥ ଅବସ୍ଥାରେ ପଡ଼ିରହି ଚିକିତ୍ସା ନପାଇ ଗତ ବୁଧବାର ସନ୍ଧ୍ୟାରେ ମୂତ୍ୟୁ ବରଣ କରିବା ପରେ ସମସ୍ତ ବିସ୍ତାପିତ ପରିବାର ସନ୍ଧ୍ୟାରେ ନୀଳାଚଳ କାରଖାନା ଗେଟ୍ ସମ୍ମୁଖରେ ଯମୁନାଙ୍କ ମୃତଦେହ ରଖି ଗେଟ୍ ବନ୍ଦ କରି ବସିରହିଥିଲେ। କୌଣସି ଲୋକଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ।ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ପୋଲିସ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁକିନ୍ଦା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଦୀର୍ଘ ୨୦ଘଣ୍ଟା ଧରି ବିସ୍ଥାପିତ ପରିବାର ଶବ ଧରି କାରଖାନା ସମ୍ମୁଖରେ ଆନ୍ଦୋଳନ କରିବା ପରେ ଗୁରୁବାର ଦିନ କାରଖାନା ମୁଖ୍ୟଦ୍ଵାର ସମ୍ମୁଖରେ ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରି ପ୍ରସ୍ତୁତ ହେବାପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନିତ୍ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିସ୍ଥାପିତ ପରିବାର ଓ ଜିଲ୍ଲା ପ୍ରଶାସକୁ ନେଇ ନୀଳାଚଳ ଅତିଥି ଗୃହର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର୍ ଅମାତ, ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ଟପେ ପ୍ରମୁଖ ଉପସ୍ଥିତ ଥିବାବେଳେ ବିସ୍ଥାପିତ ପରିବାର ପକ୍ଷରୁ ବାବୁଲି ପୂର୍ତ୍ତି, ଅର୍ଜୁନ ପୂର୍ତ୍ତି, ଯଯାତିକେଶରୀ ମହାନ୍ତ, ବିଜୟ ମହାନ୍ତ, ମୀନାକ୍ଷୀ ଜାମୁଦା, ଲିନା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ବିସ୍ଥାପିତ ପରିବାରର ବିଭିନ୍ନ ଦାବୀ ଯଥା ବିସ୍ଥାପିତ ଉତ୍ତରାଧିକାରିଙ୍କ ସ୍ଥାୟୀ ନିଯୁକ୍ତି, ଶିକ୍ଷା ଓ ସ୍ଵାସ୍ଥ୍ୟ ଜନିତ ସମସ୍ତ ଖର୍ଚ୍ଚ କାରଖାନା କତୃପକ୍ଷ ବହନ କରିବା ଆଦି ଦାବୀ ଉପରେ ବିଶେଷ ଆଲୋଚନା ହୋଇଥିଲା। ଉତ୍ତରାଧିକାରୀ ନିଯୁକ୍ତି ପାଇଁ ବିସ୍ଥାପନ ଥଇଥାନ ନୀତିରେ ପରିବର୍ତ୍ତନ ଆବଶ୍ୟକତା ରହିଛି ଯାହା କେନ୍ଦ୍ରାଞ୍ଚଳ ଆୟୁକ୍ତଙ୍କ ବୈଠକରେ ନିଷ୍ପତ୍ତି ହୋଇପାରିବ। ତେଣୁ ଏହି ବୈଠକ ଅନୁଷ୍ଠିତ ହେବାପରେ ସରକାରଙ୍କ ନିୟମ ଅନୁଯାୟୀ ନିଷ୍ପତି ନିଆଯିବ ବୋଲି ସ୍ଥିର ହୋଇଥିଲା। ବିସ୍ଥାପିତ ପରିବାରର ସମସ୍ତ ସଦସ୍ୟଙ୍କ ଶିକ୍ଷା ଓ ସ୍ଵାସ୍ଥ୍ୟ ଜନିତ ସମସ୍ତ ସୁବିଧା କାରଖାନା କତୃପକ୍ଷ ଅବିଳମ୍ବେ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ଦୁଇଘଣ୍ଟା ଧରି ଆଲୋଚନା ପରେ ବିସ୍ଥାପିତ ପରିବାର ଜିଲ୍ଲାପାଳଙ୍କ ପ୍ରତିଶ୍ରୁତିର ରାଜି ହେବାପରେ ଲାଗିରହିଥିବା ଉତେଜନା ଥମିଥିଲା। ମୃତକଙ୍କ ପରିବାର ପକ୍ଷରୁ ଜମୂନାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଦୀର୍ଘ ସମୟ ଧରି ଉତେଜନା ଲାଗିରହିଥିବାରୁ ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ ସାହୁ, ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ଯାଖପୁରା ଥାନା ଅଧିକାରିଣୀ ଲିଜାରାଣୀ ବିଶ୍ଵାଳ, ଟମକା ଥାନା ଅଧିକାରିଣୀ ପ୍ରମୋଦିନି ସାହୁ, ସୁକିନ୍ଦା ଥାନା ଅଧିକାରୀ ବିଲ୍ଵମଙ୍ଗଳ ସେଠୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।