କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଆଦିବାସୀଙ୍କ ପରିବାରକୁ ଉପଯୁକ୍ତ ସହାୟତା ମିଳିନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଆସନ୍ତା ଜାନୁୟାରୀ ୨ତାରିଖରେ ଏହି ଗୁଳିକାଣ୍ଡ ଘଟଣାର ୧୮ତମ ବାର୍ଷିକୀକୁ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଓ ପୌରାଂଚଳରେ ମହମବତୀ ଜାଳି ନିରବ ପ୍ରାର୍ଥନା କରି ନିରୀହ ଆଦିବାସୀଙ୍କ ଆତ୍ମାର ସଦଗତି କାମନା କରିବ ବୋଲି କଂଗ୍ରେସ କହିଛି ।
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ନବୀନ ସରକାର ଏକ ଆଦିବାସୀ ବିରୋଧି ସରକାର । ଦୀର୍ଘ ୨୪ବର୍ଷର ଶାସନରେ ଆଦିବାସୀଙ୍କ ଉନ୍ନତି ପାଇଁ ଏ ସରକାର କେବେ କାର୍ଯ୍ୟ କରିନାହିଁ । ଓଲଟା ଟାଟା କମ୍ପାନୀକୁ ଜମି ଯୋଗାଇ ଦେବା ଉଦ୍ଦେଶ୍ୟରେ ତତକାଳୀନ ବିଜେଡ଼ି-ବିଜେପି ମେଂଟ ସରକାର ୨୦୦୬ ମସିହା ଜାନୁୟାରୀ ୨ ତାରିଖରେ କଳିଙ୍ଗ ନଗରଠାରେ ୧୩ ଜଣ ନିରୀହ ଆଦିବାସୀଙ୍କୁ ଗୁଳି କରି ହତ୍ୟା କଲେ । ନିଜ ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ନିରୀହ ଆଦିବାସୀଙ୍କ ରକ୍ତରେ ବିଜେଡ଼ି-ବିଜେପି ମେଂଟ ସରକାର ହୋଲି ଖେଳିଲା । ଅର୍ଦ୍ଧଶତାବ୍ଦୀର ଏହି ଜଘନ୍ୟ ହତ୍ୟାକାଣ୍ଡ ବିରୁଦ୍ଧରେ ବିଜେପି ବି ମୁହଁ ଖୋଲିନଥିଲା । କଂଗ୍ରେସ ଦଳ ପକ୍ଷରୁ ପ୍ରତ୍ୟେକ ପରିବାରକୁ ୧ ଲକ୍ଷ ଟଙ୍କା ଏବଂ ତତକାଳୀନ ୟୁପିଏ ସରକାର ପକ୍ଷରୁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା ।