ଭୁବନେଶ୍ୱର : ଓଡିଶାରେ ହେଉଥିବା ବ୍ୟାପକ କୁକୁଡା ଚାଷ ବଡ ବଡ କମ୍ପାନୀଙ୍କ ହାତରେ । ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁକୁଡା ଚାଷୀଙ୍କୁ ଚିଆଁ ଠାରୁ ଆରମ୍ଭକରି ଦାନା ଯୋଗାଣ କରୁଥିବାବେଳେ କୁକୁଡା ମାଂସ ବଜାରକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବ୍ରଏଲର କୁକୁଡା ଚାଷ ପାଇଁ ରାଜ୍ୟ ଭିତର ଓ ବାହାରର କମ୍ପାନୀମାନେ ଛୋଟ ଛୋଟ କୁକୁଡାଚାଷୀଙ୍କ ଫାର୍ମକୁ ଠିକାରେ ନେଇ ଯାଉଛନ୍ତି । ରାଜ୍ୟର ଏଭଳି ଛୋଟ ଛୋଟ ୭୭୦୨ ଜଣ କୁକୁଡା ଚାଷୀଙ୍କୁ ଏମାନେ ନିୟନ୍ତ୍ରଣ କରୁଛନ୍ତି । ଯାହା ଫଳରେ ଏତେ ସଂଖ୍ୟକ ଚାଷୀ ଥିଲେ ମଧ୍ୟ ମାତ୍ର ୪୮୩ ଜଣ ଚାଷୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୩୭ କୋଟି ଟଙ୍କାର ଋଣ କରିବା ସହିତ ୭୫ କୋଟିରୁ ଅଧିକ ଟଙ୍କାର ସବସିଡ୍ ପାଇଛନ୍ତି ।
କୁକୁଡା ଚାଷୀଙ୍କୁ ନିଜ ନିୟନ୍ତ୍ରଣରେ ରଖିଥିବା ଏହି କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛତିଶଗଡ, ମୁମ୍ବାଇ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦିର । ଓଡିଶାର ଯଦିଓ କିଛି କମ୍ପାନୀ ଏଥିରେ ସାମିଲ ଅଛନ୍ତି କିନ୍ତୁ ରାଜ୍ୟ ବାହାରର ବଡ ବଡ କମ୍ପାନୀମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡୁଛି ।
ଗାଁ ଗହଳରେ ନିଜସ୍ୱ ଅର୍ଥରେ କିମ୍ବା କୌଣସି ସରକାରୀ ଯୋଜନାରେ ଛୋଟ ଛୋଟ କୁକୁଡାଫାର୍ମ କରିଥିବା ଚାଷୀଙ୍କୁ ଏହି କମ୍ପାନୀମାନେ ନିଜ ନିୟନ୍ତ୍ରଣକୁ ନେଉଛନ୍ତି । ସେମାନେ କୁକୁଡା ଚିଆଁ ଠାରୁ ଆରମ୍ଭକରି ଔଷଧ, ଦାନା ଆଦି ଯୋଗାଇ ଦେଉଛନ୍ତି । କୁକୁଡା ବିକ୍ରି ଯୋଗ୍ୟ ହେଲାପରେ ତାହାକୁ ନେଇ ଯାଉଛନ୍ତି । କୁକୁଡା ଫାର୍ମ କରିଥିବା ଲୋକଟି ଲାଳନ ପାଳନ ବାବଦରେ କିଲୋ ପ୍ରତି ଯାହା କିଛି ପଇସା ପାଉଛନ୍ତି । ନିଜ ଫାର୍ମରେ ବଢାଇଥିବା କୁକୁଡାକୁ ଫାର୍ମ ମାଲିକ ଚାହିଁଲେ ବି ବାହାରେ ବିକ୍ରି କରିପାରିବେ ନାହିଁ । କାରଣ ଏ ନେଇ ସମ୍ପୃକ୍ତ କମ୍ପାନୀ ସହିତ ରାଜିନାମା ହେଉଛି । ଯାହା ଫଳରେ ଫାର୍ମ ମାଲିକମାନେ ନିଜ ଫାର୍ମରେ ଶ୍ରମିକ ପାଲଟି ଯାଉଛନ୍ତି ।
ଏହି କମ୍ପାନୀଗୁଡିକ ରାଜ୍ୟର ପ୍ରାୟ ଅଧିକାଂଶ କୁକୁଡା ଫାର୍ମକୁ ନିଜ ନିୟନ୍ତ୍ରଣରେ ରଖିଥିବାରୁ ସେମାନେ କୁକୁଡା ମାଂସ ବଜାର ଦରକୁ ବି ନିୟନ୍ତ୍ରଣ କରୁଛନ୍ତି । ରାଜ୍ୟ ବାହାରର କମ୍ପାନୀମାନେ ଏଠାରେ ଚାଷ ହେଉଥିବା କୁକୁଡାକୁ ସେମାନଙ୍କ ରାଜ୍ୟକୁ ପଠାଉଛନ୍ତି । ଯାହା ଫଳରେ ଓଡିଶାରେ ବ୍ୟାପକ ବ୍ରଏଲର ଚାଷ ସତ୍ୱେ କୁକୁଡା ମାଂସ ଦର ଉଚ୍ଚା ରହୁଛି । ଏହିସବୁ କମ୍ପାନୀମାନଙ୍କ ମଧ୍ୟରେ ଏକତା ଥିବାରୁ ସେମାନଙ୍କ ବିରୁଦ୍ଧରେ ଗାଁ ଗହଳର ଫାର୍ମ ମାଲିକମାନେ ପାଟି ଫିଟାଇ ପାରୁନାହାନ୍ତି ।