କଟକ: ହଜାରେ ବର୍ଷର ଐତିହ୍ୟ, କଳା, ସଂସ୍କୃତିରେ ପରିପୂର୍ଣ୍ଣ ସହର କଟକ । ଏହି ସହର ପ୍ରତ୍ୟେକଟି ସାହିରେ ରହିଛି ପୌରାଣିକ ଗାଥା । ସେଥିମଧ୍ୟରୁ ଶଗଡ଼ିଆ ସାହି ପଫେସରପଡା ଅନ୍ୟତମ । ସାହି ପରିସରରେ ଥିବା ମହାବୀରଙ୍କ ମୁଖା ଦୁଇ ଦିନରେ ଘରେ ଘରେ ବୁଲି ୫୦୦ରୁ ଉଦ୍ଧ ଘରୁ ଖାଇଥାନ୍ତି ଭୋଗ । ଏହାପରେ ରାଣୀହାଟ ଦୁର୍ଗା ଘର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସାହି ପରିକ୍ରମା କରିବା ସହ ମେଲଣ ଅନୁଷ୍ଠିତ ହୋଇଥାଏ ଯାହା ବାର ବର୍ଷରେ ପହଁଚିଛି । ଇତିହାସ କୁହେ ପ୍ରାୟେ ସାତସହ ବର୍ଷ ତଳେ ଶଗଡ଼ିଆ ସାହିରେ ଶବର ମାନେ ବାସ କରୁଥିଲେ । ସେତେବେଳେ ଏହି ସାହିର ନାଁ ଥିଲା ସଉରାସାହି । ଏଠାରେ ଶବର ମାନଙ୍କୁ କ୍ଷେତ୍ରୀୟ ଆଖ୍ୟା ଦିଆଯାଇଥିଲା । ଏବଂ ପରେ ପରେ ବୈଶ୍ୟ, ବ୍ରାହ୍ମଣ, ଓ ଅନ୍ୟ ସମ୍ପ୍ରଦାୟର ଲୋକେ ବସବାସ କଲେ । ତେବେ ୫୦୦ବର୍ଷ ପୂର୍ବେ ଏହି ଅଞ୍ଚଳରେ ଗଛ ତଳେ ଥିବା ଏକ ଚାଳଘରେ ମହାବୀର ହନୁମାନଙ୍କ ପୂଜା ଆରମ୍ଭ କରାଯାଇଥିଲା । ପୂର୍ବରୁ ଏହି ଅଞ୍ଚଳରେ ରାମାୟଣର ବିଭିନ୍ନ ଚରିତ୍ରଙ୍କ ମୁଖା ଲଗାଇ କଳାକାରମାନେ ଆଖଡ଼ା ପରିବେଷଣ କରୁଥିଲେ । ଆଉ ସେହି ସମୟରେ କଟକ ସହରରେ ଥିଲା ଚାରୋଟି ସାହି । ଯାହାର ନାଁ ସେହି ସମୟରେ ଝାଞ୍ଜିରୀ (ଏବେକାର ନାଁ ଝାଞ୍ଜିରୀ ମଙ୍ଗଳା), ବାରାଣାସୀ (ବିଡ଼ାନାସୀ), ଯୁବୁରା (ଯୋବ୍ରା), ଓ ସଉରାସାହି (ଶଗଡ଼ିଆ ସାହି) ରହିଥିଲା । ଏହି ସାହିରେ ପ୍ରଥମେ ଆଖଡ଼ା ଆରମ୍ଭ ହୋଇଥିବା ବେଳେ ଓଡ଼ିଶୀ ସଂକୀର୍ତ୍ତନ ମଧ୍ଯ ଏଇଠୁ ଆରମ୍ଭ ହୋଇଥିଲା । ଅନ୍ୟପଟେ ଶଗଡ଼ିଆ ସାହିର ମୁଖ୍ୟ ଆକର୍ଷଣ ସାଜିଥିବା ମୁଖା ମେଲଣକୁ ସାହିର ପୂର୍ବତନ ଅଧିକାରୀ ସୁରେନ୍ଦ୍ର ମହାନ୍ତି ଓ ସମ୍ପାଦକ ବାନାମ୍ବର ଖୁଣ୍ଟିଆ ଆରମ୍ଭ କରିଥିଲେ । ତେବେ ସେତେବେଳେ ସାତଟି ସାହିର ମୁଖା ମେଲଣକୁ ଆସୁଥିବା ବେଳେ ବର୍ତ୍ତମାନ ମୁଖାର ସଂଖ୍ୟା 14କୁ ବୃଦ୍ଧି ପାଇଛି । ଠାକୁରଙ୍କ ପାଇଁ 20 କେଜି ଓଜନର ଚାନ୍ଦୀ ଅଳଙ୍କାର ତିଆରି କରାଯାଇଛି । ସେହିଭଳି ମୁଖା ମେଲଣରେ ସଂକୀର୍ତ୍ତନ ପରିବେଷଣ ସାଙ୍ଗକୁ ସାହିର ପ୍ରତି ଘରେ ଘରେ ଭୋଗ ଖାଇଥାନ୍ତି ମହାବୀର । ସତେ ଯେମିତି ସାହିରେ ଦୀପାବଳୀ ର ମାହୋଲ ସୃଷ୍ଟି ହୁଏ । ଏପଟେ ଚଳିତ ଥର ମୁଖା ମେଲଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ହରିୟାଣା ରୁ ଆସିଥିବା ୮ଫୁଟ୍ ଉଚ୍ଚତାର ବାହୁବଳୀ ହନୁମାନ । ବିଶ୍ଵାସ ରହିଛି ଯେ, ମହାବୀରଙ୍କ ନିକଟରେ ଯାହା ମାନସିକ ରଖିଲେ ତାହା ପୂରଣ ହୋଇଥାଏ । ଏବଂ ବହୁ ପୁରାତନ ପରମ୍ପରା କୁ ବଜାୟ ରଖିଛନ୍ତି ଶଗଡ଼ିଆ ସାହି ପଫେସରପଡା ବାସୀନ୍ଦା ।