ଭୁବନେଶ୍ୱର : ତେଲ ଦରରେ ଲାଗିଲା ନିଆଁ। ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲର ପ୍ରାଇସ୍ । ଓଡ଼ିଶାରେ ପେଟ୍ରୋଲ ଦର ୯୪ ଟଙ୍କା ପାର୍ ହେଲାଣି। ମାଲକାନଗିରିରେ ୯୪ ଟଙ୍କା ପାର କରିଛି ପେଟ୍ରୋଲ ଦର। ସେଠାରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୪୨ ପଇସା ଏବଂ ଡିଜେଲ ୮୬ଟଙ୍କା ୧୩ ପଇସା ରହିଛି । ଏପଟେ କଟକରେ ଲିଟର ପିଛା ପେଟ୍ରୋଲ ଦର ୮୯ ଟଙ୍କା ୭୩ ପଇସା ଏବଂ ଡିଜେଲ ୮୬ ଟଙ୍କା ୪୩ ପଇସା ରହିଛି। ବାରମ୍ବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ବଢୁଛି। ସେପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଆସନ୍ତା କାଲି ୭ଟାରୁ ଅପରାହ୍ନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।