ଆନ୍ଧ୍ର ପ୍ରଦେଶ ରାଜ୍ୟର ବିଶାଖାପାଟଣା ପାଇକାରା ଓପେଟା ନିକଟରେ ଥିବା ଜାତୀୟ ରାଜପଥରେ ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସଟି ହୁ ହୁ ହୋଇ ଜଳିଯାଇଛି। ତେବେ ସୌଭାଗ୍ୟବଶତଃ ବସରେ ଥିବା ୩୨ଜଣ ଓଡ଼ିଆ ଶ୍ରମିକ ଅଳ୍ପକେ ବଞ୍ଚିଯାଇଛନ୍ତି। ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହିସବୁ ଓଡ଼ିଆ ଶ୍ରମିକମାନେ ବଞ୍ଚିଯାଇଥିବା ଜଣାପଡ଼ିଛି। ବସଟି ଯାଉଥିବା ବେଳେ ଡ୍ରାଇଭର୍ ପ୍ରଥମେ ଧୂଆଁ ବାହାରୁଥିବା ଜାଣିବାକୁ ପାଇଥିଲେ। ଯାହା ପରେ ସେ ବସକୁ ରାସ୍ତା କଡ଼ରେ ପାର୍କିଂ ସହ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାରିଯିବା ପାଇଁ ସତର୍କ କରାଇଥିଲେ। ଯାତ୍ରୀମାନେ ବସ୍ ଭିତରୁ ଡିଆଁ ମାରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ସ୍ଥାନୀୟ ପୁଲିସର କହିବା ଅନୁଯାୟୀ, ବସଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ବସ୍ ଯୋଗେ ଓଡ଼ିଶାର ଶ୍ରମିକମାନେ ବାଲେଶ୍ୱରରୁ ନେଲୁରୁ ଦେଇ ଗୋଆ ଅଭିମୁଖେ ଯାତ୍ରା କରୁଥିଲେ। ଏହି ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ନିଆଁ ଲିଭାଇବ ସହ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି । ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ। କୁହାଯାଉଛି ଯେ ବସ୍ ଇଞ୍ଜିନରେ ଶର୍ଟ ସର୍କିଟ୍ ଯୋଗୁ ଏହି ନିଆଁ ଲାଗିଛି।