ଓଡିଶା ସୀମାରେ ଦାଦାଗିରି କରି ସବୁ ସୀମା ଲଂଘୁଛି ପଡୋଶୀ ରାଜ୍ୟ । ଓଡିଶା ଗାଁରେ ସ୍କୁଲ କରି ଓଡିଆ ପିଲାଙ୍କୁ ତେଲୁଗୁ ଭାଷାରେ ପାଠପଢାଉଛି ଆନ୍ଧ୍ରପ୍ରଦେଶ । କୋରାପୁଟ ଓଡିଶା ଭିତରେ ଅନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ତେଲୁଗୁ ଭାଷାରେ ଚାଲିଛି ଶିକ୍ଷାଦାନ । କୋଟିଆ ପଞ୍ଚାୟତର ପାଟୁସିନେରୀ ଗାଁରେ ଏକ ଅସ୍ଥାୟୀ ଘରେ ଚାଲିଛି ସ୍କୁଲ୍ । ଏଥିପାଇଁ ଆନ୍ଧ୍ରପକ୍ଷରୁ ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତ କରାଯାଇଛି। ସେଠାରେ ଏବେ ୧୭ଜଣ ପାଠ ପଢୁଛନ୍ତି । ପ୍ରଥମଶ୍ରେଣୀରେ ୪ଜଣ, ଦ୍ୱିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କୁ ଆନ୍ଧ୍ରସରକାରଙ୍କ ପକ୍ଷରୁ ଆମା ଓଡି ଯୋଜନା ଅର୍ଥାତ୍ ମା କୋଳ ଯୋଜନାରେ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଛି। ଏଥିସହ ମାଗଣାରେ ବହିପତ୍ର, ଡ୍ରେସ୍ ଓ ମଧ୍ୟାହ୍ନ ଭୋଜନ ମିଳୁଥିବା ଅଭିଭାବକମାନେ କହିଛନ୍ତି । ସେପଟେ ଖାଲି କୋଟିଆ ନୁହେଁ କୋରାପୁଟର ପଟାଙ୍ଗି ପଂଚାୟତର ଗଲିଗବଦରରୁ ବି ଭୋଟ୍ ନେଇଛନ୍ତି ଆନ୍ଧ୍ର ସରକାର । ପ୍ରାୟ ୭୦ଜଣ ଭୋଟର ଗତ ଶୁକ୍ରବାର ଓଡିଶା ପାର ହୋଇ ସାରିକି ପଂଚାୟତରେ ଭୋଟ ଦେଇଥିଲେ । ଏନେଇ ଜଣାପଡିବା ପରେ ପଟାଙ୍ଗି ତହସିଲଦାର ଗଲିଗବଦର ଗାଁକୁ ଯାଇଥିଲେ । ଗାଁର ପ୍ରାୟ ୭୦ଜଣ ଭୋଟର ଭୋଟ ଦେଇଥିବା ପୂର୍ବତନ ସରପଂଚ ସୁନୀଲ ଖରା ସୂଚନା ଦେଇଛନ୍ତି । ସେପଟେ ଓଡିଶାର ରାଜସ୍ୱ ଗ୍ରାମରେ ଆନ୍ଧ୍ର ଭୋଟର ସୃଷ୍ଟି କରିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।