ଏନ୍ଏନ୍ଏସ ଓଡିଆ,କଟକ: ଓଡିଶା ହାଇକୋର୍ଟର ୩୩ତମ ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଇଛନ୍ତି । ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଛନ୍ତି । ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ କରିଛନ୍ତି । ୨୦୨୨ ମସିହା ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ । ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ ତାଳପତ୍ର । ୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରୀପୁରା ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ ୨୦୨୨ ଜୁନ୍ ୧୦ ତାରିଖରୁ ଓଡିଶା ହାଇକୋର୍ଟର ବିଚାରପତି ଥିଲେ ।
ଗତକାଲି ଅର୍ଥାତ୍ ସୋମବାର ଦିନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍.ମୁରଲୀଧର ଅବସର ନେଇଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମ ଗ୍ରହଣ କରିଥିଲେ ।