ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଛି ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଓଡିଶା ସେମିକଣ୍ଡକ୍ଟର ମ୍ୟାମୁଫ୍ୟାକଚରିଂ ଏବଂ ଫାବଲେସ ପଲିସିର ପ୍ରବର୍ତ୍ତନ ପାଇଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହାଲାଗୁ ହେବା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା ।ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ‘ଓଡ଼ିଶା ଗତ କିଛି ବର୍ଷ ମଧ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ରାଜ୍ୟର ରଣନୀତିକ ଅବସ୍ଥାନ, ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ନିବେଶକ ଅନୁକୂଳ ନୀତି ଯୋଗୁଁ ଏହା ବ୍ୟବସାୟ କ୍ଷେତ୍ରରେ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ହୋଇପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସକ୍ରିୟ ମାର୍ଗଦର୍ଶନରେ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଏବଂ ଉତ୍ପାଦନ ବା ଇଏସଡିଏମ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି ।’ ଓଡିଶା ଏକ ପ୍ରମୁଖ ଶିଳ୍ପ ରାଷ୍ଟ୍ର ହୋଇ ରାଜ୍ୟରେ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳା ନିବେଶକୁ ଆକର୍ଷିତ କରିବା ପାଇଁ ଯାତ୍ରା ଆରମ୍ଭ କରିଛି । ଓଡିଶାରେ ଏକ ଉତ୍କର୍ଷ ସେମିକଣ୍ଡକ୍ଟର ଇକୋସିଷ୍ଟମ ବିକାଶ ପାଇଁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଲ୍ୟବାନ ମାର୍ଗଦର୍ଶନ ଏବଂ ଦୂରଦୃଷ୍ଟିର ଫଳାଫଳ । ଓଡିଶା ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ ଏବଂ ଫାବଲେସ ପଲିସି ଓଡିଶାରେ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ପାଇଁ ଯୋଜନା କରିଛି । ଏହା ଜାତୀୟ ସେମିକଣ୍ଡକ୍ଟର ଇକୋସିଷ୍ଟମ ବିକାଶ କ୍ଷେତ୍ରରେ ସହଯୋଗ ସହିତ ଓଡିଶାକୁ ଦେଶର ସେମି କଣ୍ଡକ୍ଟର ଡିଜାଇନ ଏବଂ ଉତ୍ପାଦନର ଏକ ଅଗ୍ରଣୀ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଏହି ପଲିସିର ୭ ବର୍ଷର ଅବଧିରେ ଅନ୍ତତଃ ପକ୍ଷେ ଗୋଟିଏ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ଏବଂ ପ୍ରାୟ ୧୦୦ ଫାବଲେସ ଡିଜାଇନ କମ୍ପାନୀ ପ୍ରତିଷ୍ଠା କରିବ । ଏହା ସହିତ ପ୍ରାୟ ୫୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୨୦,୦୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି । ”