ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡିଶା ଗସ୍ତରେ ଆସି ସେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ମିଳିଛି । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ ବସିବାକୁ ଅଛି ।
ଏହି ବୈଠକରେ ଯୋଗ ଦେବାକୁ ନଡ୍ଡା ଓଡିଶା ଆସିବେ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡିଶା ଆସିପାରୁନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏଥିସହ ବୈଠକରେ ଆଗାମୀ ଦିନର ରଣନୀତି ଓ କାର୍ୟ୍ୟପନ୍ଥା ଦଳ ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି । ଶାସକ ଦଳ ହିସାବରେ ଆଗାମୀ ଦିନରେ ଦଳ କେଉଁ କେଉଁ କାର୍ୟ୍ୟକ୍ରମ ହାତକୁ ନେଇ ସେ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ ବୋଲି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଠନ ହେବା ପରେ ବୈଠକ ହେଉଛି। ୧୯ ତାରିଖ ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବ। ଅପରାହ୍ନ ୨ଟା ୩୦ରେ କାର୍ୟ୍ୟକାରିଣୀ ବୈଠକ ଉଦଘାଟିତ ହେବ ଏବଂ ୨୦ ତାରିଖ ସନ୍ଧ୍ୟା ପର୍ୟ୍ୟନ୍ତ ଚାଲିବ। ରାଜ୍ୟର ସବୁ ନେତା ଉପସ୍ଥିତ ରହିବେ ।
ଏଥିରେ ୨୦୨୪ ନିର୍ବାଚନ ବେଳେ ବିଧାନସଭା ଏବଂ ଲୋକସଭା ସଂଯୋଜକ, ଜିଲ୍ଲା ସାଧାରଣ ସଂପାଦକ, ସଭାପତି, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି, ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ସାଂସଦ ବିଧାୟକ, କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ।
କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ବି ଏହି ବୈଠକରେ ଉପସ୍ଥିତ ରହିବେ। ଏହି ବୈଠକରେ ରାଜନୈତିକ ପରିସ୍ଥିତି, ସାଂପ୍ରତିକ ସରକାରର ଜନ କଲ୍ୟାଣ କାର୍ୟ୍ୟକ୍ରମ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ।