<h3>କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଭବାନୀପାଟଣା ସଭାରେ ପହଞ୍ଚିଥିଲେ। ଦିନ ପ୍ରାୟ ୧.୩୦ରେ ପ୍ରତିରକ୍ଷା ମନ୍ତ୍ରୀ ସ୍ଥାନୀୟ ପୁଲିସ ପଡିଆରେ ଓହ୍ଲାଇ ଥିଲେ। ପରେ ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେଇଥିଲେ।</h3> <h3>ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନର ସରକାର କରିବାକୁ ସେ ଉପସ୍ଥିତ ଲୋକଙ୍କୁ ଆହ୍ଵାନ ଦେଇଥିଲେ। ଏକଦା କଳାହାଣ୍ଡି ଦାରିଦ୍ର୍ୟ ଯୋଗୁଁ କୁଖ୍ୟାତ ଥିବା ବେଳେ ଗତ ୧୦ ବର୍ଷରେ ମୋଦୀଜିଙ୍କ ସରକାର କଳାହାଣ୍ଡିରୁ ଗରିବୀ ହଟାଇଛି ବୋଲି ସେ କହିଥିଲେ। କଳାହାଣ୍ଡିକୁ ବିଜେପି ପ୍ରାର୍ଥୀ ହିଁ ସାଂସଦ ଏବଂ ବିଧାନ ସଭାରେ ଉପଯୁକ୍ତ ପ୍ରତିନିଧିତ୍ଵ କରିପାରିବେ ବୋଲି ଶ୍ରୀ ସିଂ କହିଥିଲେ। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ। ଏଥର ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣନ୍ତୁ।</h3> <h3>ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ହିସାବରେ ମୁଁ ମୋଦୀଙ୍କ ଗ୍ୟାରେଣ୍ଟି ଦେଉଛି ବୋଲି କହିଥିଲେ। ଆଗାମୀ ୫ ବର୍ଷରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସମ୍ପୂର୍ଣ ଭାବେ ଲାଗୁହେବ ବୋଲି ସେ କହିଥିଲେ। ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଆୟୁଷ୍ମାନ ଭାରତ କାର୍ଡ ସମସ୍ତଙ୍କୁ ଉପଲବ୍ଧ ହେବ ବୋଲି ସେ କହିଥିଲେ।</h3>