ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୮.୦୨): କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ରବିବାର ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର “Best State for Promotion of Sports” ଗ୍ରହଣ କରିଛନ୍ତି। ଚତୁର୍ଥ ଥର ପାଇଁ ଓଡିଶା ଏହି ମର୍ଯ୍ୟଦାଜନକ ପୁରସ୍କାର ପାଇଛି। କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗୀତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତ୍ଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡିଶାର ‘ସ୍ପୋର୍ଟସ ମଡେଲ’ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ।ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଠାରେ ହିନ୍ଦୁ ଗ୍ରୁପ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦ ହିନ୍ଦୁର ସଂପାଦକ ଶ୍ରୀ ସୁରେଶ ନମ୍ବଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନିଲ ଗାଭାସ୍କରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
କ୍ରୀଡାବିତ୍ ମାନଙ୍କୁ ସମ୍ମାନିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ପୋର୍ଟସ ଷ୍ଟାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ବିଶ୍ବ କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କ ଅବଦାନକୁ ମର୍ଯ୍ୟଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ। ଏହା ଆମର ଆଗାମୀ ଦିନର ପ୍ରତିଭାବାନ କ୍ରୀଡାବିତ୍ ମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ। କ୍ରୀଡାବିତ ମାନେ ହେଉଛନ୍ତି ଆମର ପ୍ରକୃତ ରାଷ୍ଟ୍ରଦୂତ। କ୍ରୀଡା କ୍ଷେତ୍ରରେ ଆମେ ବିପୁଳ ସମ୍ବଳ ବିନିଯୋଗ କରୁଛୁ । ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡା ବଜେଟ ୧୦ ଗୁଣ ବଢିଛି। ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨୦୦ କୋଟିରୁ ଅଧିକ ରହିଛି । ହକି ବିଶ୍ବ କପ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳୀ ମାନଙ୍କ ପାଇଁ ଆମେ ବିଶ୍ବସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ High Performance Centre ଓ ପ୍ରତିଯୋଗୀତା ଜରିଆରେ ଖେଳାଳୀ ମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛୁ । କ୍ରୀଡା କ୍ଷେତ୍ରରେ ଓଡିଶାର ଜୟଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି । ୨୦୨୨ରେ ଓଡିଶାର କ୍ରୀଡାବିତ୍ମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ମେଡାଲ ଜିତି ଗୌରବ ଆଣିଥିଲେ । ଏହାସହିତ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ FIH ଓଡିଶା ପୁରୁଷ ବିଶ୍ବକପ୍ ହକି-୨୦୨୩ର ସଫଳ ଆୟୋଜନ ଯୋଗୁ କ୍ରୀଡା ଦୁନିଆରେ ଓଡିଶା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ହେବା ସହିତ ସମ୍ମାନର ପାତ୍ର ହୋଇପାରିଛି । ୨୦୨୨ରେ ଓଡିଶା ଅନେକ ଆନ୍ତର୍ଜାତିକ ପ୍ରତିଯୋଗୀତା ଆୟୋଜନ କରିଥିଲା । ସେଗୁଡିକ ହେଉଛି – Odisha Open, SAAF U20, FIFA U17 Women’s World Cup, FIBA-2022 (SABA Qualifiers), FIH Hockey Pro League ଏବଂ ଅନେକ ଜାତୀୟ ପ୍ରତିଯୋଗୀତା ଯଥା – Indian Women’s League, Aquatic Junior Nationals, IWLF Youth Juniors and Senior National Weight Lifting Championship-2022, Para Athletic Championship and Para Badminton Nationals ଓ ଆହୁରି ଅନେକ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶାରେ ଅତ୍ୟାଧୁନିକ କ୍ରୀଡା ସୁବିଧା ପ୍ରସ୍ତୁତ କରାଯାଇ ପ୍ରତିଭାଧର କ୍ରୀଡାବିତ୍ ମାନଙ୍କ ପାଇଁ ସର୍ବଶ୍ରେଷ୍ଠ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି । ଆମ ଦେଶର ସର୍ବଶ୍ରେଷ୍ଠ କ୍ରୀଡା ଭିତ୍ତିଭୂମି ମଧ୍ୟରେ ପ୍ରତିଷ୍ଠିତ କଳିଙ୍ଗ ସ୍ପୋର୍ଟସ କମ୍ଲେକ୍ସ ସ୍ଥାନ ପାଇଛି । ଏହାର ପରିସର ମଧ୍ୟରେ ଅନେକ ବୃହତ କ୍ରୀଡା ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରେ ରହିଛି ଦେଶର ପ୍ରଥମ ଆଥଲେଟିକ୍ସ ସେଣ୍ଟର, ଟେନିସ କୋର୍ଟ, ଇଣ୍ଡୋର ଆକ୍ବାଟିକ୍ସ ସେଣ୍ଟର, ହକି ହାଇ ପରଫରମାନ୍ସ ସେଣ୍ଟର । ଏହା ସହିତ ଏକ ବିଶାଳ ସ୍ପୋର୍ଟସ ସାଇନସ ସେଣ୍ଟରର ନିର୍ମାଣ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଦେଶ ପାଇଁ ଆଗାମୀ ଦିନର କ୍ରୀଡା ଚମ୍ପିଆନ ସୃଷ୍ଟି କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।