ଓଡ଼ିଶାର ରାଜ୍ୟପାଳ ହେବେ ରଘୁବର ଦାସ । ତାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ନିଯୁକ୍ତ କରିଛନ୍ତି।
ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନ ରଘୁବର ନେବେ। ପ୍ରଫେସର ଗଣେଶୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୩ ମା’ ମାସରେ ଶେଷ ହୋଇଥିଲା। ଏହାପରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ହେଲେ ରାଷ୍ଟ୍ରପତି ମୁର୍ମୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶ୍ରୀ ଦାସଙ୍କ ନାଁ ଉପରେ ମୋହର ମାରିଛନ୍ତି।
୬୯ ବର୍ଷୀୟ ଶ୍ରୀ ଦାସ ୨୦୧୪ ଡିସେମ୍ବର ୨୮ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ୨୦୧୯ ଯାଏ ଏହି ପଦରେ ରହିଥିଲେ। ଏହାବାଦ ସେ ବିଜେପିର ରାଜ୍ୟ ସଭାପତି ଭାବେ ମଧ୍ୟ ଦୁଇ ଥର କାର୍ଯ୍ୟ କରିଛନ୍ତି। ଏବେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଆଜି ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।