ଓଡ଼ିଶାରେ ସୁନା ଖଣି । ରାଜ୍ୟର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନାଖଣି ଠାବ ହୋଇଛି । ଦେବଗଡ ଜିଲ୍ଲାର ଆଡାସ-ରମାପଲ୍ଲାରେ ଓ କେନ୍ଦୁଝର ଜିଲ୍ଲାର ଗୋପୁର- ଗଜିପୁର ଅଞ୍ଚଳରୁ ମିଳିଛି ସୁନା ଖଣିର ସନ୍ଧାନ । ଏ ନେଇ ଆଲୋଚନା ହୋଇଛି ବିଧାନସଭାରେ ।
ବିଧାନସଭାରେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ପ୍ରଶ୍ନ କରିଥିଲେ , ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି । ତାହା କେଉଁଠାରେ କି ପ୍ରକାର, ଏହାର ସବିଶେଷ ତଥ୍ୟ ସରକାର ଉପସ୍ଥାପନ କରିବେ କି?
ଏହାର ଉତ୍ତରରେ ଖଣି ମନ୍ତ୍ରୀ କହିଥିଲେ, ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ୟ୍ୟ ସରିଛି । ଏହାସହ କେଉଁଝର ଜିଲ୍ଲାର ଗୋପୁର– ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁଁ ସେ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା , ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ୟ୍ୟ ଚାଲୁ ରହିଛି ।
ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।