ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି ଏହି ସରକାର। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଏଠାରେ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ସୁରକ୍ଷିତ ନୁହନ୍ତି। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି। ’ ଓଡ଼ିଶା ଗସ୍ତ ଅବସରରେ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।
ପ୍ରଧାନମନ୍ତ୍ରୀ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି । ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ୩୦ ଜଣ ଉଦ୍ୟୋଗପତି ଆସି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି । ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗ ଅବହେଳିତ ହୋଇ ରହିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି । ପାନପୋଷ ପରେ ରାହୁଲ ରାଜଗାଙ୍ଗପୁରର ରାଣୀବନ୍ଧ ନିକଟ ବିର୍ସାମୁଣ୍ଡା ପଡିଆରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଣୀବନ୍ଧଠାରୁ ଯାତ୍ରା ଆରମ୍ଭ କରି କୁତ୍ରାରେ ସନସାଧାରଣଙ୍କୁ ଉଦବୋଧନ ଦେବେ । ବଡ଼ଗାଁଠାରେ ମଧ୍ୟ ଜନସାଧାରଣକୁ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ବଡ଼ଗାଁରୁ ବାହାରି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ନ ସାଢେ ୪ଟାରେ ପହଞ୍ଚି ପଦଯାତ୍ରା କରିବେ । ଏହି ପଦଯାତ୍ରା ଷ୍ଟାଡିୟମ୍ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇଯିବ । ସେଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଅମଲିପାଲିଠାରେ ରାହୁଲ ରାତ୍ରିଯାପନ କରିବେ ।
ରାହୁଲ ଗାନ୍ଧି ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ। ମାତ୍ର ଗତକାଲି ସେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହି ନ ଥିଲେ। ଏହାପରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ରାହୁଲ ଗାନ୍ଧି ବାହାରି ସିଧାସଳଖ ଉଦିତନଗର ଛକକୁ ଯାଇଥିଲେ। ସେଠାରେ ସେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ।
ଏହି ଅବସରରେ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ରାହୁଲ କହିଲେ, ଓଡ଼ିଶାରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ସରକାର ପାର୍ଟନରସିପ୍ରେ ଚାଲିଛି। ସେମାନେ ଏକସଙ୍ଗେ ଅଛନ୍ତି। ପାର୍ଲାମେଣ୍ଟରେ ଏହାର ଝଲକ ଦେଖିବାକୁ ମିଳୁଛି। ମୋଦିଙ୍କ କହିବା ମୁତାବକ ବିଜେଡି ନେତା ଆମକୁ ହଇରାଣ କରିବାକୁ ପଛାନ୍ତି ନାହିଁ। ତେଣୁ ଓଡ଼ିଶାରେ ବିଜେପି ଓ ବିଜେଡି ସରକାର ପାର୍ଟନରସିପ୍ରେ ଚାଲିଛି।