ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ବାତ୍ୟାର ରୂପ ନେବାର ସମ୍ଭାବନା. ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି।
ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଗାମୀ ୬ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତରପୂର୍ବ ଆଡ଼କୁ ଗତି କରୁଛି ଗଭୀର ଅବପାତ। ଏହା ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣରେ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।
ଓଡ଼ିଶାକୁ ବାତ୍ୟା ଭୟ ନାହିଁ, କିନ୍ତୁ ବର୍ଷା ହେବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ହମୁନ’ର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ବି ପବନ ହେବନି। କେବଳ ସମୁଦ୍ର ଭିତରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସ୍ଥିତିର ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ସହିତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ମଧ୍ୟରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ସବୁ ଅଞ୍ଚଳରେ ପାଗ ଶୁଖିଲା ରହିପାରେ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସ୍ପେଶାଲ ବୁଲେଟିନ୍ରେ କୁହାଯାଇଛି।