ଥରେ ନୁହେଁ ଅନେକ ଥର ଘଟୁଛି । ତାହା ପୁଣି ଗୋଟିଏ ଦଳ ଦ୍ୱାରା । ଅଭିଯୋଗ ଉଠୁଛି କାଠ ପୁତଲି ସଜାଇ କ୍ଷମତାକୁ ଉପଭୋଗ କରୁଥିବା କଂଗ୍ରେସ ସାଧାରଣ ଲୋକଙ୍କୁ ବଡ଼ ଆସନରେ ଦେଖିଲେ ସହି ପାରୁନି କି । ଓଡ଼ିଆ ଝିଅ ମହାମହିମ ହେବା କଂଗ୍ରେସ ଦେହରେ ଯାଉନି କି ? । ନିକଟରେ କଂଗ୍ରେସର ବରିଷ୍ଠ ମହିଳା ସାସଂଦ ସୋନିଆ ଗାନ୍ଧୀ କହିଥିଲେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୁଅର ଲେଡି ପ୍ରେସିଡେଣ୍ଟ…ତା ସହ ରାହୁଲ ଗାନ୍ଧୀ ବି ରାଷ୍ଟ୍ରପତିଙ୍କ ଭାଷଣକୁ ବୋରିଂ..ନୋ କମେଣ୍ଟ ବୋଲି କହୁଥିବା ମିଡ଼ିଆ ବୁମ ରେ ରେକର୍ଡ ହୋଇଛି।
ପ୍ରକୃତ କଥା ହେଲା, ମିଡିଆକୁ ସିଧାସଳଖ କିଛି କହିନାହାନ୍ତି ସୋନିଆ କି ରାହୁଲ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଂସଦ ଭବନରୁ ବାହାରି ଆସିଥିଲେ ଏହି ପରିବାର । ମା’ ସୋନିଆ ଆଉ ଝିଅ ପ୍ରିୟଙ୍କା ଓ ପୁଅ ରାହୁଲ । ରାହୁଲ ମା’ଙ୍କୁ ପଚାରିଥିଲେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ । ସୋନିଆଙ୍କ କଥାର ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି, ସେ ‘ପୁଅର’ ଶବ୍ଦର ଉଚ୍ଚାରଣ କରିଛନ୍ତି ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ହିଁ କହିଛନ୍ତି । ‘ପୁଅର ଲେଡି ପ୍ରସିଡେଣ୍ଟ’…ଏମିତି ଶବ୍ଦ ଉଚ୍ଚାରଣ କରିଛନ୍ତି ସୋନିଆ । ଏହି କଥା କହିବାବେଳେ ତାଙ୍କ ଚାରିପଟେ ମିଡିଆର ବୁମ ଘେରି ରହିଥିଲା ଆଉ ସେହି ଶବ୍ଦ କଏଦ ହୋଇ ଯାଇଥିଲା ।
ପରିବାରବାଦରେ ବିଶ୍ୱାସ କରୁଥିବା ଗାନ୍ଧୀ ପରିବାର କୌଣସି ସ୍ୱାଭିମାନୀ ଲୋକଙ୍କୁ ସିଂହାସନରେ ଦେଖିଲେ ସହ୍ୟ କରି ପାରୁନାହାନ୍ତି। ଯେତେବେଳେ ଜଣେ ଆଦିବାସୀ ମହିଳାଙ୍କୁ NDA ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ସେତେବେଳେ ହାତ ଦଳ ଦେହରେ ଏ କଥା ଯାଇ ନଥିଲା। ଆଉ ସେଇଥିପାଇଁ 2022ରେ ଝାଡ଼ଖଣ୍ଡରେ ଭାଷଣ ଦେବା ବେଳେ କଂଗ୍ରେସ ନେତା ଅଜୟ କୁମାର ଦ୍ରୌପଦୀ ମୁର୍ମୁ ଙ୍କୁ କହିଥିଲେ ଖରାପ ବିଚାରଧାରାର ପ୍ରତିନିଧି । ସେହିପରି କଂଗ୍ରେସର ପୂର୍ବତନ ସଂସଦୀୟ ଦଳ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଅପମାନ କରିବାକୁ ପଛାଇ ନଥିଲେ। ସଂସଦରେ ରାଷ୍ଟପତିଙ୍କୁ ରାଷ୍ଟ୍ରପତ୍ନୀ କହି ଅପମାନ କରିଥିଲେ। ଆଉ ଏବେ ସ୍ୱୟଂ ଦଳର ହାଇ କମାଣ୍ଡ ଇନ ଚିଫ ସୋନିଆ ଗାନ୍ଧୀ ବିଚାରୀ କହିବାକୁ ପଛାଇ ନାହାନ୍ତି ।
ଆଗରୁ କଂଗ୍ରେସର ଚିନ୍ତାଧାରା ସବୁବେଳେ ST\SC\BC ବିରୋଧୀ ରହି ଆସିଛି। ଆଉ ଏବେ ପୁଣି ଏଠାରେ କଂଗ୍ରେସ ସେହି ମାନସିକତାର ପରିଚୟ ଦେଇଛି। ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ , ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେବି ବରଦାସ୍ତ କରିପାରିବେନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।