ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୭.୦୨): ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଧରଣର କାହାଣୀରେ ନିର୍ମିତ ଚଳଚ୍ଚିତ୍ର ତାର ଦର୍ଶକଙ୍କୁ ଭେଟି ଦେଇ ଆସିଛି । ଚିରାଚରିତ ପ୍ରେମ କାହାଣୀଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ଏସପିପି ପ୍ରଡକ୍ଶନ୍ ହାଉସ୍ ନିର୍ମାଣ କରିଛି ‘ବନ୍ଦିନୀ’, ଯାହାକୁ ଦର୍ଶକମାନେ ଦେଖିପାରିବେ କେବଳ ଜୀ-ସାର୍ଥକରେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୬:୩୦ରେ । ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଚଳଚ୍ଚିତ୍ର “ବନ୍ଦିନୀ”ର ଅଡିଓ ରିଲିଜ୍ ହୋଇଯାଇଛି। ଏହି ଅବସରରେ ଜୀ ସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ନିର୍ଦ୍ଦେଶକ ପିନୁ ନାୟକ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ରୀୟା, କଣ୍ଠଶିଳ୍ପୀ ସ୍ବୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଲିପ୍ସା ମହାପାତ୍ର , କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଡକ୍ଟର ଜନ୍ମେଞ୍ଜୟ ପଣ୍ଡାଙ୍କ କାହାଣୀ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ଅଭିଜିତ୍ ମଜୁମଦାର ଗୀତ ଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି, ଗାଇଛନ୍ତି ସ୍ଵୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଲିପ୍ଶା ଓ ସସ୍ମିତ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍। ଓଡ଼ିଆ ଚଳଚିତ୍ର ଜଗତର ଦୁଇଜଣ ଲୋକପ୍ରିୟ ଅଭିନେତା ମଣ୍ଟୁ ଓ ରିୟା ଦେଙ୍କୁ ଏକାଠି ଏହି ରୋମାଞ୍ଚ ଭରା ଚଳଚ୍ଚିତ୍ର ‘ବନ୍ଦିନୀ’ରେ ଦେଖିବାକୁ ମିଳିବ । ଏହି ଦୁଇଜଣଙ୍କ ଛଡ଼ା ଓଡ଼ିଶାର ଆହୁରି ଅନେକ ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ,କମେଡିଆନ୍ ଥିନ୍ ଓ ମନୀଷା ରଥ ଏହି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇବେ । ଏକ ଭିନ୍ନ ସ୍ୱାଦ ଓ ସସ୍ପେନ୍ସ ଚଳଚ୍ଚିତ୍ର ଯାହା ବିଭିନ୍ନ ରୂପରେ ପ୍ରେମ, ଷଡଯନ୍ତ୍ର ଏବଂ ପାରିବାରିକ ସମ୍ପର୍କ ଦେଖାଉଥିବା କାହାଣୀ ଦର୍ଶକଙ୍କୁ ନିଶ୍ଚୟ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।