ଲଣ୍ଡନ: ଦେଶରେ ବଢ଼ୁଥିବା କୋଭିଡ୍ ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ବ୍ରିଟିଶ୍ ସରକାର ଲକଡାଉନ୍ ଅବଧିକୁ ଜୁଲାଇ ୧୭, ୨୦୨୧କୁ ବଢାଇଛନ୍ତି। ଏଥି ସହିତ ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଲୋକଙ୍କ କ୍ୱାରେଣ୍ଟାଇନ୍ ଅବଧିକୁ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦିନକୁ ଦିନ ୟୁନାଇଟେଡ୍ କିଙ୍ଗଡମ୍ ରେ କୋଭିଡ୍-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଶନିବାର ଏକ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବ୍ରିଟିଶ୍ ସରକାର ଲକଡାଉନ୍ ଆଇନ୍ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଏନେଇ କାଉନ୍ସିଲ୍କୁ ପପ୍, ରେଷ୍ଟୁରାଣ୍ଟ, ଦୋକାନ-ବଜାର, ଏବଂ ପବ୍ଲିକ୍ ସ୍ଥାନଗୁଡ଼ିକୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୟୁକେର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଗତ ଶୁକ୍ରବାର ଏନେଇ କହିଥିଲେ ଯେ, ଦେଶରେ ଲକଡାଉନ୍ ନିୟମରେ କୋହଳ କରାଯିବ ନାହିଁ। କାରଣ ଏବେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷୀପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଦେଶରେ ଭ୍ୟାକ୍ସିନେସନ୍ ଚାଲୁ ରହିଛି। ନୂଆ ବ୍ରିଟେନ୍ ଭାଇରସ୍ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପହାଞ୍ଚାଇବ ବୋଲି ଅନୁମାନ କରାଯାଉଛି। ଯାହାକି ଶନିବାର ୯୭ ହଜାର ୩ ଶହ ୨୯ରେ ପହଞ୍ଚିଛି। ବର୍ତ୍ତମାନ ୩୮ ହଜାରରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କରୋନା ଭାଇରସ୍ର ପ୍ରଥମ ୱେଭ୍ ଠାରୁ ଅଧିକ ୭୮ ପ୍ରତିଶତ ଲୋକ ଏବେ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୬ ଶହରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବୋରିସ୍ କହିଛନ୍ତି