ଆଜିକାଲି ଅନେକ ପ୍ରକାର ରୋଗ ମନୁଷ୍ୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲାଣି । ଆଉ ଏହି ସବୁ ରୋଗର କାରଣ ହେଉଛି ଆମମାନଙ୍କ ପରିବର୍ତ୍ତିତ ଜୀବନଶୈଳୀ । ଆଉ ଏହି ରୋଗମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଏସିଡିଟି ବା ଅମ୍ଳତା । ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଖାଦ୍ୟ ସେବନରେ ଅନିୟମିତତା ଏସିଡିଟିର ମୁଖ୍ୟ କାରଣ। ଏସିଡିଟି ରୋଗୀଙ୍କୁ ଡାକ୍ତରମାନେ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଘରୋଇ ଉପଚାର ମାଧ୍ୟମରେ କିପରି ଏସିଡିଟି ଦୂର କରିବେ ଜାଣନ୍ତୁ…
ଲାଉ ଏବଂ ତୁଳସୀ ସରବତ: ଅମ୍ଳତାରୁ ମୁକ୍ତି ପାଇବା ପାଇଁ ଲାଉ ଏବଂ ତୁଳସୀ ରସ ବେଶ୍ ଉପକାରୀ। ଏହାକୁ ଜୁସ୍ କରି ପିଇପାରିବେ।
ବେଲ ସରବତ: ହଜମ ପ୍ରକ୍ରିୟା ପାଇଁ ବେଲ ଏକ ସର୍ବଶ୍ରେଷ୍ଟ ଉପାଦାନ। ଏହା ଅମ୍ଳତାକୁ ବହୁ ପରିମାଣରେ ହ୍ରାସ କରିପାରେ। ଏସିଡିଟି ସମୟରେ ହେଉଥିବା ପେଟର ଜ୍ୱଳନକୁ ହ୍ରାସ କରିଥାଏ ବେଲ। ତେଣୁ ଏସିଡିଟିରୁ ମୁକ୍ତି ପାଇଁ ବେଲରେ ତିଆରି ସରବତ ଏବଂ ବେଲପତ୍ର ମଧ୍ୟ ଖାଇପାରିବେ।
ମେଥି ପାଣି: ଏସିଡିଟିରୁ ଆରାମ ଦେଇଥାଏ ମେଥି ପାଣି। ଏକ ଗ୍ଲାସ ପାଣିରେ ଅଧା ଚାମଚ ମେଥି ଭିଜାନ୍ତୁ। ସକାଳେ ଏହି ପାଣିକୁ ଫୁଟାନ୍ତୁ ଏବଂ ଏହାକୁ ଛାଣି ପିଅନ୍ତୁ। ଖାଲି ପେଟରେ ମେଥି ପାଣି ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।
ଖାଦ୍ୟକୁ ଭଲ ଭାବରେ ଚୋବାନ୍ତୁ: ଗ୍ୟାସ୍ଟିକ ବା ଏସିଡିଟି ସମସ୍ୟାକୁ ଦୂର କରିବାର ପ୍ରଥମ ଉପାୟ ହେଉଛି, ଯାହା ଖାଉଛନ୍ତି ଭଲ ଭାବେ ଚୋବାଇ ଖାଆନ୍ତୁ। କାରଣ ଖାଦ୍ୟ ହଜମ ପ୍ରଥମେ ପାଟିରୁ ହିଁ ଆରମ୍ଭ ହୋଇଥାଏ। ଖାଦ୍ୟ ସଠିକ୍ ଭାବେ ଚର୍ବଣ ହେଲେ ଏସିଡିଟି ଅନେକାଂଶରେ ଦୂର ହୋଇପାରିବ।