ନୂଆଦିଲ୍ଲୀ : ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ କରୋନା ମହାମାରୀର ବର୍ଦ୍ଧିତ ସଂକ୍ରମଣ ଏବଂ ଅନେକ ରାଜ୍ୟରେ ଲାଗିଥିବା ଲକଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ କଟକଣାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ଲାଗି କେୱାଇସି ଅପଡେଟ କରିବାର ପ୍ରକ୍ରିୟା ସହଜ କରିଦେଇଛି । ଏହି ଖବର ଭାରତୀୟ ଷ୍ଟେଟ ବ୍ୟାଙ୍କର ସେହି ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଯୋଗାଇଛି, ଯେଉଁମାନଙ୍କର କେୱାଇସି ଅପଡେଟ ହୋଇ ନାହିଁ । ସୂଚନାଯୋଗ୍ୟ, କେୱାଇସି ଅପଡେଟ ହୋଇ ନଥିବା କାରଣରୁ ଅନେକ ଗ୍ରାହକଙ୍କର ବିଭିନ୍ନ କାମ ଅଟକି ରହିଛି । ଏସବିଆଇର ଏହି ପଦକ୍ଷେପ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେବ । ଆଶା କରାଯାଉଛି ଯେ, ଏସବିଆ ପରେ ଅନ୍ୟ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ସୁବିଧା ଦେବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବ୍ୟାଙ୍କର ଶାଖା ପକ୍ଷରୁ କୁହାଯାଇଛି ଯେ, କେୱାଇସି ଅପଡେଟର କାମ ପୋଷ୍ଟ ଜରିଆରେ ମେଲ ଡକ୍ୟୁମେଣ୍ଟ ଆଧାରରେ କରାଯାଇପାରିବ । ଏସବିଆଇ ନିଜର ଶାଖାକୁ ସ୍ପଷ୍ଟ ଭାବେ କହିଛି ଯେ, କୌଣସି ଶାଖା ନିଜର ଗ୍ରାହକଙ୍କୁ ବ୍ୟକ୍ତିଗତ ଭାବେ ଆସି କେୱାଇସି ଅପଡେଟ କରିବା ପାଇଁ କହିବ ନାହିଁ । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଅନଲାଇନ ଠକେଇ ସଂପର୍କରେ ଅନେକ ଥର ସଚେତନ କରୁଛି । କାରଣ ମହାମାରୀ ସମୟରେ ଅନଲାଇନ ଠକେଇ ବଢ଼ିଛି ।