ଜଗତସିଂହପୁର: ଦୁନିଆରେ ଯେତେ ବି ସମ୍ପର୍କ ଥାଉ ନା କାହିଁକି । ସେସବୁ ମଧ୍ୟରେ ସବୁଠାରୁ ଉଦ୍ଧ୍ୱର୍ରେ ରହିଛି ଗୋଟେ ମା’ ଓ ତାର ପିଲାର ସମ୍ପର୍କ । ଜଣେ ମା’କୁ ସବୁବେଳେ ସବୁ ଜାଗାରେ ସ୍ନେହ ଓ ସମ୍ମାନର ଅଧିକାରିଣୀ ବୋଲି କୁହାଯାଇଛି । କାରଣ ଜଣେ ମା’ ପରି ସ୍ନେହ ଓ ନିଃସ୍ୱାର୍ଥ ଭଲପାଇବା ଆଉ କେହି ବି ଦେଇ ପାରିବେ ନାହିଁ । କିନ୍ତୁ ସେଇ ମା’ଟି ତା’ର ନିଃସ୍ୱାର୍ଥ ସ୍ନେହ ବଦଳରେ ପାଇଛି ଘୃଣା, ଦୁଃଖ ଆଉ ହତାଦର । ନିଜର ପରିଣତ ବୟସରେ ପୁଅର ଆଶ୍ରା ପାଇବ ବୋଲି ଯେଉଁ ମା’ ନିଜ ପେଟ କାଟି ପୁଅକୁ ଖାଇବାକୁ ଦେଇଥାଏ, ସେହି ପୁଅ ବଡ ହେଲା ପରେ ଆଗ ନିଜ ମା’କୁ ହିଁ ପର କରିଦିଏ । ହଁ ଆଜ୍ଞା, ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ନାଉଗାଁ ଥାନା ଅନ୍ତର୍ଗତ ତେଂଟୋଇ ଗ୍ରାମରୁ । ୭୫ ବର୍ଷୀୟ କ୍ୟାନ୍ସର ପୀଡିତ ବୃଦ୍ଧା କାଞ୍ଚନବାଳ ସ୍ୱାଇଁକୁ ତାଙ୍କ ବଡ ପୁଅର ସ୍ତ୍ରୀ, ପୁଅ ଏବଂ ଝିଅ ମରାଣତ୍ମକ ଆକ୍ରମଣ କରିବା ସହ ବୃଦ୍ଧା ମାକୁ ରକ୍ଷା କରିବାକୁ ଜାଇ ଝିଅ ଲକ୍ଷ୍ମୀପ୍ରିୟା ବସ୍ତିଆ ମଧ୍ୟ ଆହତ ହୋଇଛନ୍ତି । ତେବେ ବୃଦ୍ଧା ଜଣକ କ୍ୟାନ୍ସରରେ ପୀଡିତ ହେବା ପରେ ବୋହୁ ଏବଂ ନାତି ନାତୁଣୀ ବୃଦ୍ଧାଙ୍କୁ ଘରୁ ତଡି ଦେବାକୁ ଚେଷ୍ଟା କରିବା ସହିତ ବିଭିନ୍ନ ସମୟରେ ମଧ୍ୟ ଆକ୍ରମଣ କରନ୍ତି । ଅନ୍ୟପଟେ ବୃଦ୍ଧାଙ୍କର ଝିଅ ଲକ୍ଷ୍ମୀପ୍ରିୟା ନିଜ ମାଙ୍କ ପାଇଁ ଅଲଗା ଘର ନିର୍ମାଣ କରୁଥିବାକୁ ନେଇ ମଧ୍ୟ ତାଙ୍କୁ ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି ଝିଅ ଲକ୍ଷ୍ମୀପ୍ରିୟା । ଅନ୍ୟପଟେ ଏହି ଘଟଣାକୁ ଆଧାର କରି ଝିଅ ଲକ୍ଷ୍ମୀ ନ୍ୟାୟ ପାଇବା ନିମନ୍ତେ ନାଉଗାଁ ଥାନାର ଦ୍ୱାରସ୍ତ ହୋଇଥିବା ସୂଚନା ରହିଛି ।