ଏମିତି ଦିନ ଦେଖିବାକୁ ପଡ଼ିବ, କେହି ସ୍ୱପ୍ନରେ କଳ୍ପନା କରିନଥିଲେ । ଚାରିଆଡ଼ ଶୂନଶାନ । ପଦାକୁ ବାହାରିଲେ ଗୋଡ଼ାଉଥିଲା କରୋନା । ମଣିଷଠୁ ମଣିଷ ଦୂରେଇଲା । ଭିଡ଼ ଦେଖିଲେ ଡର ମାଡ଼ିଲା । ବଡ଼ଗଡ଼ରୁ ସୂର୍ଯ୍ୟନଗର, ବମିଖାଲରୁ ମଞ୍ଚେଶ୍ୱର… ନାଁ ଶୁଣିଲେ ଆତଙ୍କ ଖେଳିଯାଉଥିଲା । ୨୦୨୦ ଏମିତି କଟିଗଲା ଆତଙ୍କ ଭିତରେ । ଏବେ ସ୍ଥିତି ସୁଧିରିଛି । କିନ୍ତୁ, ବିପଦ ଟଳିନି ।ମାର୍ଚ୍ଚ ୧୫, ୨୦୨୦ । ରାଜଧାନୀର ବଡ଼ଗଡ଼ରୁ ଚିହ୍ନଟ ହେଲେ ପ୍ରଥମ କରୋନା ରୋଗୀ । ଇଟାଲୀ ଫେରନ୍ତା ଯୁବକ କରୋନା ରୋଗୀ ଚିହ୍ନଟ ହେବା ପରେ ଖେଳିଗଲା ଆତଙ୍କ । କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଚାଲିଲା ରାଜ୍ୟର ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା । ୨/୩ ଦିନ ପରେ ଏମ୍ସରେ ଭର୍ତ୍ତି ହେଲେ ଆଉ ଜଣେ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ । ଚାହୁଁ ଚାହୁଁ ଭୁବନେଶ୍ୱରରେ ମାଡ଼ିଲା କରୋନା । ହଟ୍ସ୍ପଟ୍ ପାଲଟିଗଲା ସୂର୍ଯ୍ୟନଗର, ବମିଖାଲ । ରାଜଧାନୀରେ ପ୍ରଥମ କରି ସାମାଜିକ ଭେଦଭାବ ପରିସ୍ଥିତି ଦେଖିବାକୁ ମିଳିଲା । କରୋନା ରୋଗୀଙ୍କ ପରିବାରକୁ ଅନେକ ଜାଗାରେ ଅଘୋଷିତ ବାସନ୍ଦ କଲେ ପାଖ ପଡ଼ୋଶୀ । ସୁସ୍ଥ ହେବା ପରେ ବି କରୋନା ରୋଗୀଙ୍କ ସହ ମିଶିଲେନି ପଡ଼ୋଶୀ ଓ ବନ୍ଧୁ । କାଲି ଯାଏଁ ନିଜର ଥିବା ଲୋକେ ବି ଘୃଣ୍ୟ ନଜରରେ ଦେଖିଲେ । ସତେ ଯେମିତି କରୋନା ଆକ୍ରାନ୍ତ ଓ ତାଙ୍କ ପରିବାର କିଛି ପାପ କରିଦେଇଛି । ଗୁଜବ ବି ଢେର ବୁଲିଲା ।ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ଆରମ୍ଭ କରିଥିଲେ କରୋନା ମୁକାବିଲା ପ୍ରସ୍ତୁତି। କରୋନା ଯେତେ ଭୟଙ୍କର ହେଉଥିଲା ରାଜ୍ୟ ସରକାରଙ୍କ ମୁକାବିଲା ବି ସେତେ ଶାଣିତ ହୋଇଥିଲା। ସରପଞ୍ଚଙ୍କୁ ଜିଲ୍ଲାପାଳର କ୍ଷମତା ଦେଇ ରାଜ୍ୟ ସରକାର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। କୋଭିଡ୍-୧୯ ଓଡ଼ିଶା ରେଗୁଲେସନ୍, ୨୦୨୦ ଆଣି ଏଥିରେ କ୍ୟାବିନେଟ୍ ମୋହର ମାରିଥିଲେ। ଏହିଠାରୁ ହିଁ କରୋନା ସହ ମୁହାଁମୁହିଁ ଲଢେଇ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୩ରେ କୋଭିଡକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା। କରୋନା ସହ ଲଢ଼େଇ ପାଇଁ ମାର୍ଚ୍ଚ ୨୧ରୁ ରାଜ୍ୟରେ ଘୋଷଣା ହୋଇଥିଲା ସଟଡାଉନ୍। ସଂକ୍ରମଣ ମଧ୍ୟରେ ମହାମାରୀକୁ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା। ଏହି ବର୍ଷେ ଭିତରେ ଅନେକ କିଛି ବଦଳିଛି ଅନେକ ବାଧା ବିଘ୍ନ ସହିଛି ଓଡ଼ିଶା। ଏବେ ଶହେ ତଳେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଦୋକାନ ବଜାର ସହ ସିନେମା ହଲ ଖୋଲିଛି । ରାଜ୍ୟ ହରାଇଛି ଅନେକ କରୋନା ଯୋଦ୍ଧାଙ୍କୁ । କରୋନା ଯୋଦ୍ଧାଙ୍କ ଉଦ୍ୟମ ଓ ସରକାରଙ୍କ ପଦକ୍ଷେପ ପାଇଁ ଓଡ଼ିଶାରେ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି । ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ, ମହାମାରୀ ଭୟ ଏବେ ବି ଟଳିନାହିଁ ।ସଂକ୍ରମଣ ଏତେ ଦ୍ରୁତ ବେଗରେ ଆଗକୁ ମାଡୁଥିଲା ଯେ, ସେବେ ସର୍ବାଧିକ ସଂକ୍ରମିତ ଅଞ୍ଚଳ ଥିବା ଗଞ୍ଜାମ ଜିଲ୍ଲାକୁ ଏହା ଟପି ଯାଇଥିଲା । ଭୁବନେଶ୍ୱର କରୋନା ଗଡ଼ରେ ବଦଳିଯାଇଥିଲା ।