ଅନ୍ଧ ବିଶ୍ବାସର କରୁଣ ପରିଣତି। ସାମ୍ନାକୁ ଆସିଲା ଡାହାଣୀ ସନ୍ଦେହରେ ହତ୍ୟା ଘଟଣା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କିତାବେଡ଼ା ଗ୍ରାମର ଡୁଙ୍ଗୁରିସାହିରେ। ଗ୍ରାମର ଦେବେନ୍ଦ୍ର ନାଏକ ଓ ତାଙ୍କ ସ୍ତ୍ରୀ ଚମ୍ପା ନାଏକଙ୍କୁ ଗ୍ରାମର ଅଜୟ ନାଏକ କୁରାଢ଼ୀରେ ଅତି ନିର୍ମମ ଏବଂ ନୃଶଂସ ଭାବରେ ହତ୍ୟା କରିଛି। ଏହି ଘଟଣାରୁ ମୃତକଙ୍କ ପୁତ୍ରବଧୂ ସୁମିତ୍ରା ନାଏକ ଓ ଅଢେଇ ବର୍ଷର ନାତୁଣୀ ମେଘନା ନାଏକ ଅଳ୍ପକେ ରକ୍ଷାପାଇ ଯାଇଛନ୍ତି। ସୂଚନା ଅନୁସାରେ ଦେବେନ୍ଦ୍ର ନିଜଘର ଅଗଣାରେ ଥିବା ବେଳେ ଅଜୟ ଆସି କଥା ହୋଇଥିଲା। କିଛି ସମୟ ପରେ ଅଜୟ କୁରାଢ଼ୀରେ ଦେବେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲା। ପରେ ଚମ୍ପାଙ୍କ ମୁଣ୍ଡରେ କୁରାଢ଼ୀ ଚୋଟ ମାରିଥିଲା। ଚମ୍ପାଙ୍କ ବୋହୁ ନିଜର ଦିଅର ରାବେନ୍ଦ୍ର ନାଏକଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ରାବେନ୍ଦ୍ର ଘରକୁ ପହଞ୍ଚି ଘଟଣା ସମ୍ପର୍କରେ ବିଶୋଇ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଚମ୍ପାଙ୍କ ଗୁଣି ଗାରେଡି ବିଦ୍ୟା ପ୍ରଭାବରେ ଅଭିଯୁକ୍ତ ଅଜୟର ପୁତ୍ର ଓ ବାପା ସୁରେନ୍ଦ୍ରଙ୍କ ବାରମ୍ବାର ଦେହ ଖରାପ ହଉଥିବାର ସନ୍ଦେହ କରି ଆସୁଥିଲା। ତେଣୁ ସନ୍ଦେହ ତଥା ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଅଜୟ ଏପରି କାଣ୍ଡ ଘଟାଇଛି ବୋଲି ମୃତ ଦମ୍ପତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଏଡିସନାଲ ଏସପି, ଏସଡ଼ିପିଓ, ବାରିପଦା ସାଇଣ୍ଟିଫିକ ଟିମ୍ ଏବଂ ବିଶୋଇ ଥାନା ଅଧିକାରିଣୀ ପହଞ୍ଚି ହତ୍ୟାରେ ବ୍ୟବହୃତ କୁରାଢ଼ୀ ଜବତ କରିଛନ୍ତି। ସେହିପରି ଫେରାର ଅଭିଯୁକ୍ତ ଅଜୟ ନାଏକକୁ ଗିରଫ କରି ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି ବିଶୋଇ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।