ଉତ୍ତରାଖଣ୍ଡର ଚମୋଲୀରେ ସୋମବାର ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ଗ୍ଲାସିୟର ଭାଙ୍ଗିବା ପରେ ହୋଇଥିବା ଭୀଷଣ ବନ୍ୟା ପରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟିଥିବା ଜଳପ୍ରଳୟରେ ବର୍ତ୍ତମାନ ଯାଏଁ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ତପୋବନର ଏନଟିପିସି ସୁଡଙ୍ଗ ଭିତରୁ ୮ ଏବଂ ବାହାରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ସୁଡଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଏହା ବ୍ୟତୀତ ପୂରା ଅଞ୍ଚଳରେ ଏ ପର୍ଯ୍ୟନ୍ତ ୧୫୪ ଜଣ ନିଖୋଜ ଅଛନ୍ତି। ତପୋବନ ସୁଡ଼ଙ୍ଗ ଭିତରେ ଗତ ୯ ଦିନ ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ବଡ ଧରଣର ଭଗ୍ନାବଶେଷ ଏବଂ ମାଟି କାଦୁଅ ସୁଡଙ୍ଗ ଭିତରେ ଜମା ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ରବିବାର ମଧ୍ୟ ୧୩ଟି ମୃତଦେହ ଉଦ୍ଧାର କରାଯାଇଥିଲା । ଏହାମଧ୍ୟରୁ ୭ଟି ରେଣୀ ଗ୍ରାମ ଓ ୬ଟି ତପୋବନ ଟନେଲରୁ ମିଳିଥିଲା । ଉତ୍ତରାଖଣ୍ଡର ଚମୋଲିରେ ସେପଟେ ସୁଡଙ୍ଗ ଭିତରୁ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିବା ପରେ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସୂଚନାଯୋଗ୍ୟ ଯ, ଗତ ୭ ତାରିଖରେ ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ହୋଇଥିଲା। ଏହାପରେ ଭୟଙ୍କର ଜଳପ୍ରଳୟ ସୃଷ୍ଟି ହୋଇଥିଲା। ପାଣି ମାଡରେ ଅନେକ ଲୋକ ଭାସି ଯାଇଥିଲେ। ସେହିପରି ରେନି ଗାଁ ପୁରାପୁରି ନଷ୍ଟ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁଁ ମଲାରୀ ସମେତ ଅନେକ ଗାଁ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇଛି। ଆଇଟିବିପି ଯବାନମାନେ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।