ଡେରାଡୁନ : କରୋନା କାଳରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହି ସମୟରେ ପୁଣି ଦାଉ ସାଧିଛି ଚମୋଲି ହିମସ୍କଳନ | ଶୁକ୍ରବାର ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ଅଞ୍ଚଳରେ ଗ୍ଲେସିୟର ଭାଙ୍ଗିଯାଇଥିଲା । ଅଧିକ ମାତ୍ରାରେ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି। ଗ୍ଲେସିୟର ଭାଙ୍ଗିବା ପରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଏହାସହ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜୋରଦାର କରାଯାଇଛି ।ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେସୁଦ୍ଧା ୩୮୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ଟି ମୃତଦେହ ମିଳିଛି । କିଛି ସ୍ଥାନକୁ ଯୋଗାଯୋଗ ସମ୍ଭବପର ହେଉନାହିଁ। ସେପଟେ ରାସ୍ତା ସଫା କରିବା ପାଇଁ ଶ୍ରମିକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଆରଓ ଅଧିକାରୀ ଲଗାତର ଯୋଗାଯୋଗ ପ୍ରତିଷ୍ଠା କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଦୀର୍ଘ ୫ ଦିନ ହେବ ଲଗାତର ବରଫ ପଡୁଛି ଓ ବର୍ଷା ହେଉଛି । ଫଳରେ ସୁମନା ରିମଖିସ ରୋଡର ୪ କିଲୋମିଟର ପର୍ଯ୍ୟନ୍ତ ହିମସ୍କଳନ ହେଉଛି । ଫଳରେ ନିକଟରେ ଥିବା ବୋର୍ଡର ରୋଡ ଓ ଦୁଇଟି ଶ୍ରମିକ କ୍ୟାମ୍ପ ବରଫ ଭିତରେ ଫସି ଯାଇଛି । ଅନ୍ୟପଟେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ରାତିସାରା ସେନା ଉଦ୍ଧାର କାର୍ଯ୍ୟରେ ଲାଗି ବିଆରଓ କ୍ୟାମ୍ପରୁ ୧୫୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧର କରିଛି । ସେମାନଙ୍କୁ ସେନା କ୍ୟାମ୍ପରେ ରଖାଯାଇଛି ବୋଲି ସେନା କହିଛି ।