() ୧୪ଦିନରେ ପହଞ୍ଚିଲାଣି ଇସ୍ରାଏଲ-ହମାସ ଯୁଦ୍ଧ । ବିଶେଷ କରି ଗାଜାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏବେ କୌଣସି ବି ମୁହୂର୍ତ୍ତରେ ଗାଜା ସହର ଭିତରେ ପ୍ରବେଶ କରିପାରନ୍ତି ଇସ୍ରାଏଲ ସେନା । ଆଉ ଘରେ ଘରେ ବୁଲି ନିପାତ କରିବେ ହମାସ ଆତଙ୍କୀଙ୍କୁ । ଏଭଳି ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସେ କହିଛନ୍ତି, ପୂର୍ବରୁ ବାହାରୁ ଆକ୍ରମଣ କରାଯାଉଥିଲା । ଏବେ ଗାଜା ଭିତରେ ହେବ ହମଲା । ଖାଲି ନିର୍ଦ୍ଦେଶକୁ ଅପେକ୍ଷା । ଗାଜା ସୀମାରେ ଏକ ଲକ୍ଷରୁ ଅଧିକ ଇସ୍ରାଏଲ ସେନା ମୁତୟନ ରହିଛନ୍ତି । ୨୨ଶହ ଟ୍ୟାଙ୍କ ତଥ୍ୟା ଅନ୍ୟାନ୍ୟ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ପ୍ରସ୍ତୁତ ରହିଛି ସେନା । ସେପଟେ ଇସ୍ରାଏଲ ଗସ୍ତ ସାରି ଫେରିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗାଜାର ସ୍ଥିତି ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗାଜାରେ ଯେଉଁଭଳି ଭାବେ ନିରୀହ ଲୋକଙ୍କ ଜୀବନ ଯାଉଛି ତାହା ତାଙ୍କୁ ମର୍ମାହତ କରିଛି ।
ବିଶେଷ କରି ଗାଜା ଡାକ୍ତରଖାନା ଉପରେ ଆକ୍ରମଣ ତାଙ୍କୁ ଦୁଃଖ ଦେଇଛି । ପ୍ରତ୍ୟେକ ନିରୀହ ଜୀବନ ପାଇଁ ଶୋକ ପ୍ରକାଶ କରିଛନ୍ତି ବାଇଡେନ । ସେ କହିଛନ୍ତି ମାନବିକତା ଭୁଲିବା ଉଚିତ୍ ନୁହେଁ । ଗାଜାରେ ଯେଉଁ ପାଲେଷ୍ଟାଇନ୍ ନାଗରିକ ଶାନ୍ତିର ସହ ବଞ୍ଚିବାକୁ ଚାହୁଁଛନ୍ତି, ତାଙ୍କୁ ବଞ୍ଚିବାକୁ ଦିଆଯିବା ଉଚିତ୍ । ହମାସ୍ ଓ ଲେବାନନ୍ ଆକ୍ରମଣରେ ପେଶି ହେଉଛି ଇସ୍ରାଏଲ । ଗୋଟିଏ ପଟେ ହମାସ ତ ଅନ୍ୟପଟେ ଲେବାନନ୍ ରୁ ଇସ୍ରାଏଲ ଉପରେ ବାରୁଦ ବର୍ଷା କରୁଛି ଆତଙ୍କୀ ସଂଗଠନ ହେଜବୁଲ୍ଲା । ଯାହାକୁ ନେଇ ଲେବାନନ୍ – ଇସ୍ରାଏଲ ସୀମାରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଲେବାନନ୍ ଓ ଗାଜା ପଟୁ ଲସ୍ରାଏଲ ର ତେଲ ଅଭିଭ୍ ଉପରେ ତୁହାକୁ ତୁହା ମିଜାଇଲ୍ ଆଟାକ୍ ଜାରି ରହିଛି । ତେବେ ଇସ୍ରାଏଲ ର ଦକ୍ଷ ପ୍ରତିରକ୍ଷା ପ୍ରଣାଳୀ ଆଇରନ ଡୋମ୍ ପାଇଁ ଧ୍ୱଂସ ହେବାରୁ ବର୍ତି ଯାଇଛି ତେଲ୍ ଅଭିଭ୍ ।