ରାଉରକେଲା ସହର ସ୍ଥିତ ତିଲକାନଗର ଓ ଉତ୍ତମ ବସ୍ତି ସଂଲଗ୍ନ ରାମଟୋଲି ବସ୍ତି ସମ୍ମୁଖ ରାଉରକେଲା ଇସ୍ପାତ କାରଖାନାର ପାଚେରୀ କଡରୁ ୩୨ ବର୍ଷୀୟ ଯୁବକଙ୍କ ମୃତଦେହ ପୋଲିଶ ଉଦ୍ଧାର କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ । ମୃତକଙ୍କ ବଡ଼ଭାଇ କହିବା ଅନୁଯାୟୀ ଗତକାଲି ରାତିରୁ କୈାଣସି ଏକ କାମ ଅଛି ବୋଲି କହି ତାଙ୍କ ସାନଭାଇ ଘରୁ ବାହାରିଥିଲେ । ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନ ଥିବା ବେଳେ ଖୋଜା ଖୋଜି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଶୁଣିବାକୁ ପାଇଲେ ତାଙ୍କର ସାନଭାଇ ରାମା ମୁଣ୍ଡାର ମୃତ ଦେହ ରାମଟୋଲି ସ୍ଥିତ ରାସ୍ତା କଡ଼ରେ ପଡି ରହିଛି । ଏ ବିଷୟରେ ଜାଣିବା ପରେ ସାଙ୍ଗେ ସାଙ୍ଗେ ବନ୍ଧମୁଣ୍ଡା ଥାନାକୁ ଘଟଣା ବିଷୟରେ ଅବଗତ କରାଇଥିଲେ । ଖବରପାଇ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ ଯୁବକ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲକାନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ପରେ ହତ୍ୟା କି ନାହିଁ ତାର ସଂପୂର୍ଣ୍ଣ ସତ୍ୟାସତ୍ୟ ପଦାକୁ ଆସିବ । ତେବେ ପରିବାର ଲୋକେ ହତ୍ୟା ହୋଇଥିବା ନେଇ ଆଶଙ୍କା କରୁଛନ୍ତି ।