ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନିଜ ଦଳର ବିଧାୟକମାନଙ୍କ ସହ ବୈଠକରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ।
ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ପଠାଇଛନ୍ତି। ଏଥିସହ ଆରଜେଡି ସହ ଜେଡିୟୁର ମହାଗଠବନ୍ଧନକୁ ଭାଙ୍ଗିବାକୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ନୀତୀଶ। ଖୁବଶୀଘ୍ର ବିହାରରେ ଗଠନ ହେବାକୁ ଯାଉଛି ନୂଆ ସରକାର।
ଆଜି ସନ୍ଧ୍ୟା 5ଟାରେ ଜେଡିୟୁ-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର। ସେ ବିହାର ବିଧାନସଭାର ନବମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ଇସ୍ତଫା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତୀଶ କୁମାର କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଭଙ୍ଗ ପାଇଁ ମଧ୍ୟ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛି। ଦଳର ନିଷ୍ପତ୍ତି ଆଧାରରେ ମୁଁ ଇସ୍ତଫା ଦେଇଛି।’