ଭୁବନେଶ୍ବର : ପ୍ରଳୟଙ୍କାରୀ ‘ଫୋନି’ ବାତ୍ୟା ଆସିଥିଲା ୨୦୧୯ ମେ’ ୩ ତାରିଖରେ । ଗତବର୍ଷ ମେ’ ୨୦ରେ ଘଷି ହୋଇଯାଇଥିଲା ବାତ୍ୟା ‘ଅମ୍ପନ୍’ । ଏ ବର୍ଷ ବି ଆସିପାରେ ଖରାଦିନିଆ ବାତ୍ୟା । ପାଣିପାଗର ଅସ୍ୱାଭାବିକ ରୂପ ଦେଖି ଏମିତି କିଛି ଆଶଙ୍କା କଲେଣି ପାଣିପାଗ ବିଶେଷଜ୍ଞ । ଚଳିତବର୍ଷ ବିଚିତ୍ର ତଥା ବିରଳ ସ୍ଥିତି ଦେଖାଦେଇଛି ବଙ୍ଗୋପସାଗରରେ । ଏହା ସଙ୍କେତ ଦେଲାଣି- ଏ ବର୍ଷ ବଙ୍ଗୋପସାଗରରେ ଘନଘନ ଲଘୁଚାପ ଆସିପାରେ । ମଙ୍ଗଳବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । କେତେକ ବିଦେଶୀ ପାଣିପାଗ ମଡେଲ୍ କହୁଛି, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ହେଲେ ନା ଏହା ଓଡ଼ିଶା ଆଡ଼କୁ ମୁହାଁଇବ ନା ଆମ ରାଜ୍ୟରେ କିଛି ବର୍ଷା କରାଇବ । କୌଣସି ପ୍ରଭାବ ପଡ଼ିବ ନାହିଁ ଓଡ଼ିଶା ଉପରେ । ଆମେରିକାର ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର କହିଛି, ବିଭିନ୍ନ ବିଶ୍ୱସ୍ତରୀୟ ମଡେଲ୍ ଏହି ସମ୍ଭାବ୍ୟ ଲଘୁଚାପ ନେଇ ଭିନ୍ନ ଆକଳନ କରିଛନ୍ତି । ଏନଭିଜିଏମ୍ର ପୂର୍ବାନୁମାନ ହେଲା, ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଆଉ କେତେକ ମଡେଲ୍ ଅନୁଯାୟୀ ଏହା ଅବପାତ ପର୍ଯ୍ୟନ୍ତ ଘନୀଭୂତ ହୋଇପାରେ । ୟୁକେ ପାଣିପାଗ କେନ୍ଦ୍ର ଏବଂ ୟୁରୋପିଅନ ସେଣ୍ଟର ଫର୍ ମିଡିୟମ ରେଞ୍ଜ୍ ୱେଦର ଫୋରକାଷ୍ଟସର ଆକଳନ ଅନୁଯାୟୀ ଏହା ମିଆଁମାର ଆଡ଼କୁ ଗତି କରିବ । କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହା ୩୧ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ୧ ତାରିଖବେଳକୁ ଆଉ ସାମାନ୍ୟ ଅଧିକ ଘନୀଭୂତ ହୋଇ ୱେଲ ମାର୍କଡ ରୂପ ନେବ । ଉତ୍ତର ଆଣ୍ଡାମାନ ଦେଇ ମିଆଁମାର ଆଡ଼କୁ ମୁହାଁଇବ । କିନ୍ତୁ, ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ । ତେବେ ଏହି ସମ୍ଭାବ୍ୟ ଲଘୁଚାପ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆଲୋକିତ କରିଛନ୍ତି । ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ମାର୍ଚ୍ଚ ମାସରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ବିରଳ ଘଟଣା । ସାଧାରଣତଃ ମାର୍ଚ୍ଚରୁ ଖରା ଆରମ୍ଭ ହୁଏ । ବର୍ତ୍ତମାନ ସମୟରେ ସମୁଦ୍ର ଜଳପତ୍ତନ ତାପମାତ୍ରା ୨୫ରୁ ୨୬ ଡିଗ୍ରୀ ସେଲସିୟସ୍ ରହିବା କଥା । ମାତ୍ର ଏବେ ବଙ୍ଗୋପସାଗର ଜଳପତ୍ତନ ତାପମାତ୍ରା ୨୯-୩୦ ଡିଗ୍ରୀ ଅଛି । ଏଥିଯୋଗୁ ହିଁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଛି । ଏହା ଅସ୍ୱାଭାବିକ ପରିସ୍ଥିତି ଆଣିଛି । ସାଧାରଣତଃ ଏପ୍ରିଲ ଦ୍ୱିତୀୟ ସପ୍ତାହ କିମ୍ବା ତା’ପରେ ଗ୍ରୀଷ୍ମକାଳୀନ ଲଘୁଚାପ କିମ୍ବା ବାତ୍ୟା ଆସିଥାଏ ବଙ୍ଗୋପସାଗରରେ । ଏଥର ଢେର ଆଗୁଆ ଏମିତି ସ୍ଥିତି ଉପୁଜିଛି । ଯଦି ବର୍ତ୍ତମାନଠାରୁ ସମୁଦ୍ର ଜଳପତ୍ତନ ତାପମାତ୍ରା ଏତେ ଅଧିକ ହେଲାଣି, ଆଗକୁ ଆହୁରି ବଢ଼ିବ । ଏମିତି ହେଲେ ଆଗକୁ ବଙ୍ଗୋପସାଗରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି । ଯାହାକି ବାତ୍ୟା ଭଳି ବିପଦକୁ ଡାକି ଆଣିପାରେ । ଗତ ଦୁଇବର୍ଷ ହେଲାଣି ଏଭଳି ଖରାଦିନିଆ ବାତ୍ୟାର ସାମ୍ନା କରୁଛି ଓଡ଼ିଶା । ଖରାଦିନେ ମୁଖ୍ୟତଃ କାଳବୈଶାଖୀଜନିତ ବର୍ଷା, ପବନ ହୋଇଥାଏ । ହେଲେ ଜଳବାୟୁର ଅଦ୍ଭୁତ ପରିବର୍ତ୍ତନ ନୂଆ ସ୍ଥିତି ଆଣୁଛି । ୨୦୧୯ ମେ’ ୩ରେ ଫୋନି ଭଳି ଭୟାନକ ବାତ୍ୟା ଉପକୂଳ ଓଡ଼ିଶାକୁ ପ୍ରଭାବିତ କରିଥିଲା । ପୁରୀ ଓ ଭୁବନେଶ୍ୱରକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା । ବାତ୍ୟା ପରେ ଭୀଷଣ ଗରମ ଓ ଜଳ ସଙ୍କଟ କଲବଲ କରିଥିଲା । କରୋନା ମହାମାରୀ ସଙ୍କଟ ଭିତରେ ଆସିଥିବା ଅମପନ୍ ଓଡ଼ିଶାକୁ ବଡ଼ ଧରଣର କ୍ଷତି କରିନଥିଲେ ମଧ୍ୟ ରାଜ୍ୟ ପାଇଁ ଏକ ଭିନ୍ନ ସ୍ଥିତି ଆଣିଥିଲା । ବର୍ତ୍ତମାନ ମଧ୍ୟ କରୋନା ହୁ ହୁ ହୋଇ ବଢ଼ୁଛି । ଏଭଳି ସ୍ଥିତିରେ ଯଦି ଏଥର ବି ଖରାଦିନିଆ ବାତ୍ୟା ଆସେ, ସ୍ଥିତି ପୁଣି ଚିନ୍ତା ବଢ଼ାଇବ ।