ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଚଳିତ ବର୍ଷ ଆରବ ସାଗରରେ ଦ୍ୱିତୀୟ ଥର ପାଇଁ ବାତ୍ୟା ସୃଷ୍ଟି ହେବାକୁ ଯାଉଛି। ଯଦି ବାତ୍ୟା ସୃଷ୍ଟି ହେଉଛି, ତା’ହେଲେ ଏହାର ନାଁ ତେଜ୍ ରହିବ। ଭାରତ ମହାସାଗର ଅଞ୍ଚଳ ଆଧାରରେ ବାତ୍ୟାର ନାଁ ନାମିତ କରାଯାଇଛି।ତେବେ ପାଣିପାଗ ବିଜ୍ଞାନୀମାନେ ମତ ରଖିଛନ୍ତି ଯେ ବାତ୍ୟା ତେଜ୍ ତା’ର ଟ୍ରାକ ବଦଳାଇବା ସହ ଆହୁରି ଭୟଙ୍କର ହୋଇପାରେ। ବାତ୍ୟା ବିପର୍ଯ୍ୟୟ ବେଳେ ଯେଉଁଭଳି ସ୍ଥିତି ସୃଷ୍ଟି ହୋଇଥିଲା, ଏବେ ସେଭଳି କିଛି ହୋଇପାରେ। ଜୁନ ମାସରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିଲା। ହେଲେ ଏହା ଦିଗ ବଦଳାଇ ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା।